ବାପା
ବାପା


ଆଶ୍ୱାସନାର ସୁନ୍ଦର ସ୍ୱର ଟିଏ
ମୋ ଦୁର୍ଦଶା ସମୟରେ ଚିରସହଚର ପରି ଥାଏ
ତମସା ମଧ୍ୟେ ବି ବାଟ ଦେଖାଏ
ଫେରାଇ ଆଣେ ସବୁ ତୁଟା ସ୍ୱପ୍ନକୁ ଏକାଠି କରି
ଟାଣି ଟାଣି ତାର କୋମଳ ସ୍ପର୍ଶରେ
ଆଉ ବୁଝାଇ ଦିଏ ବିଫଳତା ପରେ ସଫଳତା ଆସେ
ମୋ ସଫଳତା ଇତିହାସର ଏକ ଅନ୍ତରଙ୍ଗ ସ୍ଵାକ୍ଷର
ସିଏ ହେଉଛି ମୋ ବାପାଙ୍କର ସ୍ୱର ||
ସବୁ ଆଶଙ୍କା ଭିତରେ ତାଙ୍କର ହସ୍ତ ହିଁ
ମୋ ନିରିହ ପ୍ରାଣରେ ଏକ ଦୃଢ଼ ଆତ୍ମବିଶ୍ୱାସ
ସବୁ ନିରାଶା ଭିତରେ ଆଶାର କୁନିତାରା ସେ
ତାଙ୍କ ଉଠରେ ଏକ ଆତ୍ମତୃପ୍ତିର ହସ ହିଁ
ମୋ ଶୈଶବର ଅପୂର୍ଣ୍ଣ ଅଭିଳାଷ
ବିଫଳତାର ଚନ୍ଦ୍ରଭାଗା ତୀରେ ତଥାପି ଦେଖିଛି
ତାଙ୍କ ହସର କୋଣାର୍କ ମନ୍ଦିର
ମୋ ସଫଳତାର କାରୁକାର୍ଯ୍ୟ ଦେଇ ଦେବି ତାକୁ ବାସ୍ତବ ସ୍ପର୍ଶ
ସେଇ ହସ ହିଁ ତ ମୋ ଜୀବନର ବାସ୍ତବ ମୂଲ୍ୟବୋଧ ||