ବାଲକୋନିରୁ କାଳବୈଶାଖୀ
ବାଲକୋନିରୁ କାଳବୈଶାଖୀ
ତତଲା ଦୋପହରିଆ ଅପରାହ୍ନ
ଚାରିଆଡ଼େ ମାଡ଼ି ପଡ଼ୁଥାଏ
ବୈଶାଖି ତାତିର ଦାଦାଗିରି
ଢୋ ଢୋ ଆଚ୍ଛନ୍ନ ଆବରଣ ଛାଇ ଯାଏ ।
ମା' ଶୁଖେଇ ଥିଲା ହେଁସେ ଧାନ
ଭାଉଜ ଆମ୍ବ ଆଚାର କେଇ ଜାରେ
ଜେଜେମା ତ୍ରିଫଳା ଗୋଟା -
ହରିଡା ବାହାଡ଼ା ଓ କଷାଫଳ ମୋଟା ମୋଟା
କୋଷ୍ଠକାଠିନ୍ୟ କଟେଇବ ବୁଢୀ
ଆମ୍ବଋତୁରେ ଚୋଷି ପାରୁନି
ମିଠା ରସୁଣିଆ ସୁନ୍ଦରିଆ ବାଡି ଆମ୍ବ ସବୁ
ଆମ ପେଟକୁ ଯାଉଛି ବୋଲି ଉଡି ଭିଡ଼ି ।
ଦିନ ଗୋଟାଏ ହେବ ବୋଧେ
ଭାତ ଖିଆ ପର୍ବ ଚାଲିଥାଏ ଭରଖର
ମହୁରାଳି ମାଛ ବେସର
ନଥା ମାଛର ଆମ୍ବ ରାଇ ତରକାରୀ
ଲେଉଟିଆ ଶାଖ ଖରଡ଼ା
ଆଳୁ ପୋଟଳ କଷାର ମହମହ ବାସନା
ଗାଧୋଇ ସାରିଲା ପରେ
ଅନନ୍ତ ଭୋକର ହେବ ଭରଣ ଉଦର ।
ପ୍ରଥମ ଗୁଣ୍ଡା ଯାଉ ଯାଉ
ବନା ଭାଇ ଘର ଲକ୍ଷ୍ମୀ ଭାଉଜ ହୁରି ଛାଡିଲେ
ମେଘ ବରଷି ଗଲାରେ
ଧାନ ଓଦା ହେଲାରେ
ସମସ୍ତେ ମୁଁହ ଚାହାଁ ଚାହିଁ
ଯେମିତି ଯୁଦ୍ଧରେ ବଳି ପଡିବୁ ତୁହି ।
ଦ୍ଭାଭଜ ପଣତ କାନିକୁ ଅଣ୍ଟିରେ ଖୋସି
ଧାଇଁଲେ ଅତରଛିଆ
ହେଁସର ଦୁଇ କଣକୁ ଟେକି
ଘୋଡେଇ ଦେଲେ ତରବରିଆ
ଘଡ଼ଘଡ଼ି ଚଡଚଡି
ହେମାଳ ପବନ ଗଲେ ଉଡି
କାନମୁଣ୍ଡା ଛୁଇଁ ଧାଇଁ ଫେଡ଼ି ।
ଡାକ ପକେଇଲେ
ବରକୋଳିଆ ଫଡ ଫଡ଼
କୁଆପଥର ମାଡ
ଅଗଣାରେ ଗଦା ଧଳା ଶିଳାଖଣ୍ଡ
ନିମିଷକେ ମିଳେଇଗଲେ
ପାଣି ଫାଟିଗଲା ଶିଳ ପଥର ଗୁଣ୍ଡ ।
ଜେଜେମା ହୁରି ଛାଡ଼ୁଥିଲା
ଶିଶୁରେ ଧରି ରଖରେ
ବଥ ବ୍ରଣ ବାଳମୂଳିଆ ଉପଶମ ପାଇଁ
ଅବ୍ୟର୍ଥ ଔଷଧ
ପାଣି ଲଗେଇ ଦେଲେ
ସବୁ ସଫା ମିଳେଇ ଯିବରେ ।
ଆସିଗଲା ମୂଷଳିଆ ବର୍ଷାର ତାଣ୍ଡବ
ନାଦି ଦେଇଗଲା ଝପେ
ଗଛ ପତ୍ର କୋଠା ଛାତ ବାଟୋଇ
ରାସ୍ତା ଧାନ ଆଚାର ବାଇକ୍ ଆରୋହୀ
ସବୁ ଭିଜିଗଲେ ସରପଟିଆ
ଖୁସିରେ ମସ୍ତିରେ ସାହି ଭାଇ ହରବରିଆ ।
ବାଲକୋନିରେ ସବୁ ଦିଶୁଥିଲା
ପବନ ସହିତ ବର୍ଷା କାଚୁଥିଲା
ଯୁଗଳବନ୍ଦୀ ମହା ମିଳନର
ଡାଳ ସବୁ ନଇଁ ଉପର ତଳ ଖେଳୁଥିଲେ
ସତେ ଯେମିତି ଶିବ ତାଣ୍ଡବ ନୃତ୍ୟରେ
ବାଜା ଭେରି ତୂରୀ ଧରି ହାଜର ।
ଆମ୍ବ ସବୁ ତଳେ ପତି ବିଛଣା
ଦଳେ କାଳବୈଶାଖୀକୁ ଖାତିର ନ କରି
ଏ ଡିହରୁ ସେ ଡିହ ଅଜଣା
ଗୋଟେଇ ଚାଲିଥିଲେ
ପିଠିରେ ପଡ଼ୁ ପଛେ ଶିଳ ପଥର
ଗାଳି ମାଡ଼ ଛାଟ ବିଧା ପାହାର
ସେ ସବୁକୁ ନିଘା କାହିଁ ପାମର ।
ମାର୍ ଗୋଲି କାଳବୈଶାଖି ମାଉସୀକୁ
କାହା ପାଇଁ ହଇରାଣ ହରକତ
ଅନ୍ୟ ପାଇଁ ଖୁସି ମହୁରତ
ଥଣ୍ଡା ପାଗ ବୈଶାଖ ଝାଞ୍ଜିରେ
ଯେମିତି କିଏ ପରଶି ଦେଲା
ବରଫ ମିଶା ମିଠା ସରବତ ।