ବାଲିରଥ
ବାଲିରଥ
ଘୋଷ ଯାତରାର ଘଣ୍ଟନାଦ
ବାଦ୍ଯ କାହାଳୀ ବାଜିଲା କାନେ ।
ବଳରାମ ଦାସ ଆସିଲେ ଦଉଡି
ରଥେ ଚଢିଲେ ଯତନେ ।୧।
ଗଳା ଧକ୍କା ଦେଇ ପଣ୍ଡାଏ ତଡିଲେ
ବେଶ୍ୟାଳୟୁ ଆସି ତୁହି ।
ରଥରେ ଚଢୁଛୁ ଏଡେ ଅଲାଜୁକ
ଲାଜ ଟିକେ ତୋତେ ନାହିଁ ।୨।
ଶୁଚିହୀନ ହୋଇ ରଥରେ ଚଢୁଛୁ
ଯାଅ ଏଠାରୁ ପଳାଇ ।
ରହିଲେ ଏଠାରେ ସବୁ ଅପବିତ୍ର
ଭଲ ଗତି ତୋର ନାହିଁ ।୩।
ଅତି ଲଜ୍ଜା ପାଇ ଚଳିଗଲେ ଦାସେ
ବାଙ୍କିମୁହାଣ ପାଖକୁ ।
ଜଗନ୍ନାଥ ସ୍ମରି ବାଲିରଥ ଗଢି
ଡାକିଲେ ଜଗନ୍ନାଥଙ୍କୁ ।୪।
ରଥେ ବିଜେ କର କାଳିଆ ଠାକୁର
ଭାଇ ଭଗ୍ନୀ ଚକ୍ର ସହ ।
ସତେ ମୁଁ ତୁମର ହୋଇଥିବି ଯଦି
ମୋ ରଥେ କର ବିଜୟ ।୫।
ବାଲିରଥେ ପ୍ରଭୁ ବିଜୟ କରିଲେ
ଭାଇ ଭଗ୍ନୀ ସଙ୍ଗେ ଘେନି ।
ତେଣେ ବଡଦାଣ୍ଡେ ନଗଡିଲା ରଥ
ସର୍ବେ ଭିଡି ହେଲେ ତୁନି ।୬।
ଲକ୍ଷ ଲକ୍ଷ ଯାତ୍ରୀ କୋଠିଆ ବେଠିଆ
ହାତୀ ଭିଡି ନନ୍ଦିଘୋଷ ।
ହୋଇଲେ ହାଲିଆ ରଥ ନଘୁଞ୍ଚିଲା
ଭାବିଲେ କି ହେଲା ଦୋଷ ।୭।
ଗଜପତି ରାଜା ହେଲେ ନିଉଛାଳି
ମହାପ୍ରଭୁଙ୍କ ପାଶରେ ।
ଯାହା ଅପରାଧ କରିଅଛି ପ୍ରଭୁ
କ୍ଷମାକର ଦୋଷ ବାରେ ।୮।
ପ୍ରଭୁ କହୁଛନ୍ତି ଭକତକୁ ମୋର
ଅପବାଦ ଦେଲ ରଥେ ।
ବାଙ୍କିମୁହାଣରେ ଅଛି ମୋ ଭକତ
ବସିଛି ମୁଁ ତାର ରଥେ ।୯।
ବୁଝାଇ ସୁଝାଇ ଆଣ ଭକତକୁ
ଗଡିବ ମୋ ନନ୍ଦିଘୋଷ ।
ଗଜପତି ରାଜା ଚଳିଲେ ସେଠାକୁ
ସଙ୍ଗେ ଘେନି ଥାଟ ଘୋଷ ।୧୦।
ବାଲିରଥେ ପୂଜି ଶ୍ରୀଜୀଉମାନଙ୍କୁ
ତୋଷି ବଳରାମ ଦାସେ ।
କ୍ଷମା ମାଗି ତାଙ୍କୁ ପାଟ ଭିଡି ମୁଣ୍ଡେ
ବସାଇଲେ ନନ୍ଦିଘୋଷେ । ୧୧।
ଘର୍ଘର ନାଦରେ ଗଡେ ନନ୍ଦିଘୋଷ
ଭକ୍ତାଧୀନ ପ୍ରଭୁ ମୋର ।
ଭକତର ଅପମାନ ନସହନ୍ତି
କେବେ କାଳିଆ ଠାକୁର ।୧୨।
ଧନ୍ୟ ସେ ଭକତ ବଳରାମ ଦାସ
ଧନ୍ୟ ତାଙ୍କ ବାଲିରଥ ।
ଭକତିରେ ଯାର ବଶୀଭୂତ ହେଲେ
ନିଜେ ପ୍ରଭୁ ଜଗନ୍ନାଥ ।୧୩।
