ବାଲି ଗରଡ଼ା
ବାଲି ଗରଡ଼ା


ତୁମର ଚହଟ ଚିକ୍କଣ ଭାଷାରେ
ଅଲୋଡ଼ା ବାଲି ଗରଡ଼ା ଟିଏ ମୁଁ
ପଡ଼ିଅଛି ପାଦଚଲା ରାସ୍ତାରେ!!
ତୁମ ଠାକୁର ଘରେ ଶାଳଗ୍ରାମ
ସାଜି ପୂଜା ପାଇବାର ସ୍ବପ୍ନ
ମୁଁ କେବେ ବି ଦେଖି ନାହିଁ
କି ନିଜକୁ ଘଷିମାଜି ରଙ୍ଗ ମାଖି
ସଜେଇ ହୋଇ ନିଜକୁ ବିଜ୍ଞପିତ
କରିବାର ଅଭିପ୍ରାୟ ମୋର ନାହିଁ!!
ଦାଦନର ଭାଗ୍ୟ ନେଇ ଖଟିଖିଆ
ମେହନତୀ ସ୍ବାଭିମାନୀ ମଣିଷଟେ ମୁହିଁ
ବିକି ନାହିଁ ମୁଣ୍ଡ ପାତି ନାହିଁ ହାତ
କେବେ ବି କାହାରି ପାଖରେ
ରହି ପଛେ ଭୋକ ଉପାସରେ
ବଞ୍ଚିଛି ସଦା ମୁଁ ଆପଣା ଇଛାରେ!!
ତୁମ ଅଣ୍ଟିରେ ଭୁଜା ଅଛି ବୋଲି
ଅମାପ ଅହଙ୍କାରରେ ଭାବିଛ
ବିଞ୍ଚି ଦେଲେ କେତେ ପକ୍ଷୀ
ଆସି ଯିବେ ଉଡ଼ି ପକ୍ଷ ଝାଡ଼ି
ଆହାର ଭୋଜନ ଲୋଭରେ
ପୋଷା ମାନି ରହିବେ ତୁମର!!
ଉଠ୍ ବସ୍ ହେବେ ତୁମର
ଇଛାରେ ଇସାରାରେ ଆଦେଶରେ
ଅମେରୁଦଣ୍ଡୀ ପରଜୀବି ହୋଇ
ପାରିବି ନାହିଁ ମୁହିଁ କରି ଏପରି
କ୍ଷମାକର କ୍ଷମାକର କ୍ଷମାକର
ମୋତେ ହେ କପଟୀ ଶୀକାରୀ!!
ଏହା ମୋର ସ୍ବକୀୟତା ସ୍ବାଧୀକାର
ତୁମର ସଖିକଣ୍ଢେଇ ହୋଇ ରହିବା
ଅପେକ୍ଷା ମୃତ୍ୟୁ ମୋର ଶ୍ରେୟସ୍କର!!