ବାହୁଡିବ ମୋ ଜଗା
ବାହୁଡିବ ମୋ ଜଗା
ବର୍ଷା ଭିଜା ସକାଳ
ଜଗା ମନେ ଉଚ୍ଚାଟ
ଆଜି ସେ ଶ୍ରୀମନ୍ଦିର ମୁହାଁ
ଲଗାଇଛି ସେ ହଟ ।
ନବଦିନ ବ୍ୟାପି ଯାତରେ
କରିଛି କେତେ ମଉଜ
ମାଉସୀ ମାର ପୋଡ ପିଠା ଖାଇ
ମନେ ହଟିଛି ତାର ବିଷାଦ।
ଛନକା ପଶିଛି ମା
ଲକ୍ଷ୍ମୀଙ୍କ କଥା
ବେଳୁବେଳ ସେ ହୁଏ ଉଚ୍ଛନ୍ନ
ସଂସାର ଜଞ୍ଜାଳର ନିଚ୍ଛକ ସତ୍ୟ
ପ୍ରଭୁଙ୍କ ଜୀବନେ ଦିଶେ ପ୍ରତିଫଳନ।
ମାନବର ଜୀବନ ଚର୍ଯ୍ୟା
ସେଠି ନାହିଁ ଉଲମ ବିଲମ
ଯଥା ଦେହି ତଥା ଦେବ
ଏକଥା ହୋଇଛି ପ୍ରମାଣ।
ଭାରିଜା କୁ ଛାଡି ମନ୍ଦିରେ
ଭକତକୁ କରିଲା ତୋଷ
ହେଲେ ବି ଜଗା ମନେ ପଶିଛି
ଆଜି ଅଜଣା ଛନକ ।
ଥରେ ଲକ୍ଷ୍ମୀଛଡା ହୋଇ
ପାଇଛି କେତେ ଯାତନା
ଛପନ ପଉଟି ଭୋଗଖିଆକୁ
ମିଳିଲାନି ଦାନା କନା।
ବଳିଆ ଭାଇକୁ ଡାକଦିଏ
ଏବେ ବେଗି ବାହାର
ଲକ୍ଷ୍ମୀଙ୍କ କଥା ନୁହଁ ଅଛପା
ହେଳାରେ ଭେଳା ବୁଡିବ ଏଥର ।
ପହଁଣ୍ଡି ପାଇଁ ଭକତ
ଆସି ହେଲେଣି ଉଭା
ଗୁଣ୍ଡିଚାରାଣୀଠୁ ନେଇ ମେଲାଣି
ରଥକୁ ଚାଲିଲେ ଜଗା।
ଶରଧା ବାଲି ଆଜି ଧନ୍ୟ
ଛୁଇଁ ତୋର ଚରଣ
ଧନ୍ୟ ଧନ୍ୟ ହେ ଦେବ
ଭକତକୁ କରୁ ତାରଣ ।
ମୁଁ ଅଧମ ଛାର ମଣିଷ
ସଦା ତୋହରି ଦାସ
ଦେବଙ୍କୁ ଅଛପା ତୋ ଲୀଲା
ମୁଁ ବା ବୁଝିବି କିସ।
