ବାହୁଡ଼ା ଯାତ୍ରା
ବାହୁଡ଼ା ଯାତ୍ରା
ସମୟ କାହାକୁ ଅପେକ୍ଷା କରେନି
ଜାଣିହୁଏ ନାହିଁ ଯାଏରେ ଚାଲି
ଶ୍ରୀଗୁଣ୍ଡିଚା ଯାଇ ମହାପ୍ରଭୁଙ୍କର
ବାହୁଡ଼ା ଯାତରା ପଡ଼ଇ କାଲି ।
ଘରଛାଡ଼ି କିଏ ଗଲେ ବାହାରକୁ
ଫେରିଆସେ ପୁଣି ନିଜ ବାସକୁ
ଗୁଣ୍ଡିଚାରେ ଯାଇ ବାହୁଡାରେ ପ୍ରଭୁ
ଫେରିଆସିଥା'ନ୍ତି ନିଜ ପୀଠକୁ ।
ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ ସମୟେ
ଯେପରିକି ବ୍ୟକ୍ତି ଫେରେ ଖୁସିରେ
ବାହୁଡାରେ ପରା ଫେରନ୍ତି ଶୀକ୍ଷେତ୍ର
ଖୁସିରେ ସେପରି ତିନି ଠାକୁରେ ।
ରାଜା ଯେପରିକି ପ୍ରାସାଦୁ ବାହାରି
ଦୁଃଖ ଶୁଣିଥା'ନ୍ତି ବୁଲି ରାଜ୍ୟରେ
ଭକ୍ତ ଦୁଃଖ ଦୂର କରିଥା'ନ୍ତି ପ୍ରଭୁ
ରଥେ ବୁଲି ଏହି ରଥଯାତରେ ।
ଶ୍ରୀଗୁଣ୍ଡିଚା ଯାତ ପରି ବାହୁଡ଼ାରେ
ଭକତ ହୁଅନ୍ତି ଏକାଠି ପୁଣି
ଶ୍ରୀମନ୍ଦିର ମୁଖେ ତିନୋଟି ରଥକୁ
ଭକତିର ସହ ନିଅନ୍ତି ଟାଣି ।
ଭକ୍ତି ଯୋଗୁଁ ପ୍ରଭୁ ଦାସିଆ ନଡ଼ିଆ
ଆନନ୍ଦରେ କରିଥିଲେ ଗ୍ରହଣ
ଘୋର ଅରଣ୍ୟରେ ଶୀକାରୀ କବଳୁ
ରଖିଥିଲେ ସ୍ଵୟଂ ମୃଗୁଣୀ ପ୍ରାଣ ।
କ୍ଷଣିକ ପାଇଁରେ ଆସିଛୁ ମହୀକୁ
ଆୟୁ ସରିଗଲେ ଯିବା ବାହୁଡ଼ି
ବାହୁଡ଼ା ଆସିଛି ରଥ ଟାଣିବାକୁ
ଯିବା ଚାଲ ଟିକେ ସମୟ କାଢ଼ି ।
