ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ନଶ୍ୱର ଶରୀର ଦିନେ ଛାଡ଼ି ଯିବ
ମୋହ ମାୟାରେ ଛନ୍ଦି ହେଲେ
ଦୁନିଆରେ ବାନ୍ଧି ହୋଇ ରହି ଯିବ
ନା ସ୍ୱର୍ଗ ପ୍ରାପ୍ତି ହେଉଥିବ
ନା ମର୍ତ୍ତ୍ୟକୁ ଫେରି ପାରୁଥିବ ।
ଆତ୍ମୀୟଙ୍କ ପାଇଁ ଅତୃପ୍ତ ଆତ୍ମା
ଆଉ ନିଜ ପାଇଁ ବୋଝ
ନା ନୂଆ ଜନ୍ମ ନେଇ ପାରିବ
ନା ପୁରୁଣା ଦେହକୁ ଲେଉଟି ହେବ ।
ଦୁର୍ବିସହ ଲାଗିବ ସେ ଅନୁଭବ
ବିଶ୍ୱାସ କର
ମୁଁ ବି ଭେଟିଛି ଏକାନ୍ତରେ ନିଜକୁ
ଅତୃପ୍ତ ଆତ୍ମାଟିଏ ଭାବେ ସଜେଇ
ସୁଖରେ ଖୁସି ପାଇ ପାରିନି
କି ଦୁଃଖରେ ମନ ଖୋଲି କାନ୍ଦି ପାରିନି
ଖାଲି କାଠ କଣ୍ଢେଇ ପରି ରହିଥିବ
ଯେତେ ଅଧିକ ମିଳିଲେ ବି
ଖୁସି ମୋ ପାଇଁ ଅବାସ୍ତବ ସ୍ୱପ୍ନ ପରି
ପ୍ରତି ମୂହୁର୍ତ୍ତ ମୋର ହୃଦୟକୁ ବିଦାରିଛି
ହଁ, ବନ୍ଧନ ସିନା ନ ଥିବ
କିନ୍ତୁ ଏଇ ମୁକ୍ତାକାଶ ସତରେ
ଛୋଟିଆ ପଞ୍ଜୁରୀ ସମ ଅକ୍ତିଆର
କରି ନେବା ଭଳି ଅନୁଭବ ହେବ ।
ଏବେ କୁହ!
ଅତୃପ୍ତ ଆତ୍ମା ମାନେ କ'ଣ
ନା ଅକସ୍ମାତ ମୃତ୍ୟୁ ପରର ସ୍ୱାଧୀନତା ନୁହେଁ
ବଞ୍ଚି ଥାଉ ଥାଉ ନିଜର ଦୁର୍ଗୁଣର ଚକ୍ରବ୍ୟୁହ ଭିତରେ
ଇଚ୍ଛାକୃତ ବନ୍ଦୀ ଜୀବନ ବିତାଇ ଚାଲିବା
ନା ନିଜେ ଖୁସି ହୋଇ ପାରୁଥିବା,
ନା ଚାରିପାଖରେ ସ୍ୱଜନଙ୍କ ଖୁସି ଦେଖି ପାରୁଥିବା ।