ଅତିଥି ଦେବୋ ଭବ
ଅତିଥି ଦେବୋ ଭବ
ସମଗ୍ର ବିଶ୍ବରେ ସୁଖ୍ୟାତି ଅଟଇ ମହାନ ଆର୍ଯ୍ୟ ସଂସ୍କୃତି
ଏହି ସଂସ୍କୃତିର ବୈଶିଷ୍ଟ୍ୟଟି ହେଲା କର୍ତ୍ତବ୍ୟ ସେବା ଅତିଥି ।
ଅତିଥି ସାକ୍ଷାତ ଦେବତା ଅଟନ୍ତି ସମସ୍ତଙ୍କ ଗୁରୁଜନ
ତାଙ୍କ ପ୍ରତି ଯଦି ହୁଏ ଅସମ୍ମାନ ମହାପାପର କାରଣ ।
ପିତା-ମାତା-ଗୁରୁ ଓ ଅତିଥି ସମସ୍ତେ ଦେବତାଙ୍କ ସମାନ
ସେମାନଙ୍କୁ ଭକ୍ତି ଓ ସମ୍ମାନ କରିଲେ ସର୍ବେ ହ୍ବନ୍ତି ମହାନ ।
ଗୃହସ୍ଥର ଶ୍ରେଷ୍ଠ ଧର୍ମ ଓ କର୍ତ୍ତବ୍ଯ ଅଟଇ ଅତିଥି ସେବା
ଯଥୋଚିତ ଭାବେ ଅତିଥି ସତ୍କାର କରିବାକୁ ଧ୍ୟାନ ଦେବା ।
ବ୍ରହ୍ମଯଜ୍ଞ,ପିତୃଯଜ୍ଞ,ଦେବଯଜ୍ଞ,ଭୂତଯଜ୍ଞ ଓ ନୃଯଜ୍ଞ
ଧର୍ମଶାସ୍ତ୍ରରେ ମନୁ କହିଅଛନ୍ତି ଯେ ବିଷୟ ପଞ୍ଚଯଜ୍ଞ ।
ଏହି ଗୂଢତତ୍ତ୍ବ ଜାଣିଲେ ସମସ୍ତେ ହୋଇବେ ନିଶ୍ଚୟ ବିଜ୍ଞ
ଅଧ୍ଯାପନା ଅଟେ ବ୍ରହ୍ମଯଜ୍ଞ,ତର୍ପଣ ଅଟଇ ପିତୃଯଜ୍ଞ ।
ପୂଜା-ହୋମ ପୁଣି ଅଟେ ଦେବଯଜ୍ଞ ଭୂତଯଜ୍ଞ ଅଟେ ବଳି
ନରଯଜ୍ଞ ଅଟେ ଅତିଥିସତ୍କାର ତାହାକୁ ନଯିବା ଭୁଲି ।
ଯେଉଁ ବ୍ୟକ୍ତି ଆସିବାର ନଥାଏ କୌଣସି ସୂଚନା ବା ତିଥି ବାସ୍ତବରେ ତାହାଙ୍କୁ କୁହାଯାଇଥାଏ ଯେ ଅବଶ୍ୟ ଅତିଥି ।
ଅତିଥି ଯେବେ ଫେରନ୍ତି ଗୃହସ୍ଥର ଘରୁ ହୋଇ ଅପମାନ
ଅତିଥିଙ୍କ ଅସନ୍ତୋଷେ ଗୃହସ୍ଥର ହୋଇଥାଏ ସକଳ ବିଘ୍ନ ।
ଅତିଥି ଦେବଙ୍କ ଅନ୍ୟ ଲକ୍ଷଣଟି ହୋଇଲା ପ୍ରକାରାନ୍ତରେ
ଅସ୍ଥାୟୀ ଭାବରେ ଅତିଥିଙ୍କ ସ୍ଥିତି ଯେ ଗୃହସ୍ଥଙ୍କ ଗୃହରେ ।
ଉପନିଷଦର ସଦୁପଦେଶକୁ ପାଳିଛି ପ୍ରିୟ ଭାରତ
ଅତିଥି ଦେବଙ୍କୁ ଦେଇ ଶ୍ରେଷ୍ଠାସନ ବିଶ୍ବେ ହୋଇଛି ବିଖ୍ୟାତ ।
ଅତିଥି ସତ୍କାର କରି ଏହି ଦେଶ ବିଶ୍ବେ ସ୍ଥାପି ମିତ୍ର ଭାବ
ବସୁଧୈବ କୁଟୁମ୍ବକ ମହାମନ୍ତ୍ରେ ଦେଖାଇ ଏକତାଭାବ ।
ଗୁରୁକୁଳେ ଗୁରୁ ଦୀକ୍ଷାନ୍ତ ସମୟେ ଶିଷ୍ଯକୁ ଦିଅନ୍ତି ଜ୍ଞାନ
ଗୃହସ୍ଥାଶ୍ରମେ ଅତିଥିସତ୍କାର କରିବ ଦେବତା ସମାନ ।
ଯଥୋଚିତ ସେବା-ସତ୍କାରରେ ଯେ ତୋଷେ ଅତିଥିଙ୍କର ମନ
ଅତିଥି ରୂପୀ ନାରାୟଣ ସଦା ତା'ଠାରେ ହୁଅନ୍ତି ପ୍ରସନ୍ନ ।
'ଅତିଥି ଦେବୋ ଭବ'ଏହି ନୀତିଶିକ୍ଷା ବିଶ୍ବେ ହେଉ ପ୍ରସାର
ଏହି ପବିତ୍ର ଭାବନା ସକଳ ହୃଦୟେ ହେଉ ଯେ ଅକ୍ଷର ।