ଅଥଚ_ପ୍ରେମ
ଅଥଚ_ପ୍ରେମ
ଏବେ ପ୍ରାୟ ରାତିର ନିଶାର୍ଦ୍ଧରେ
ଚିହ୍ନାଚିହ୍ନା ଲାଗୁଥିବା ମୁହଁଟେ
ନିଶ୍ଚିତ କିନ୍ତୁ ଅପରିଚିତ ସିଏ
ମୋ କପାଳେ ଆସି ଆଙ୍କି ଦେଇଯାଏ
ନରମ ଉଷ୍ମତାର ଆଶ୍ଲେଷଟିଏ
ସେ ଉଷ୍ମତାର ସମ୍ମୋହନ ପଣରେ
ବୋଧହୁଏ ମୁଁ ଅନାୟାସରେ ନିଦ୍ରା ଯାଏ
ଅଥଚ ମୁଁ ଅନିଦ୍ରାପଣର ରୋଗୀଟିଏ
ଜାଣିଛି ମୋ ଲାଗି ନିଦ୍ରା ନିଶ୍ଚିତ
ଏତେ ସହଜଲଭ୍ୟ କଦାପି ନୁହେଁ
କିଏ ପୁଣି ମୋ ଘର ଗବାକ୍ଷରେ
କିଚିରିମିଚିରି କରି ସକାଳ ଆଣେ
ପୁନର୍ବାର ସେଇ ଉଷ୍ମ ଆତ୍ମୀୟତାରେ
ହତବାକ କରି ମୋ ହାତ ଟାଣେ
ଅପରିଚିତର ଅଦୃଶ୍ୟ ଇସାରା ମୋତେ
ଛିଡ଼ା କରେ ସକାଳର ସୂର୍ଯ୍ୟ ସାମ୍ନାରେ
ଓଁ ହିଂ ହିଂ ସୂର୍ଯ୍ୟାୟ ନମଃ ମନ୍ତ୍ର-ମୁହୂର୍ତ୍ତରେ
ପୁଣି ସେଇ ଉଷ୍ମତା ମୋ ଆତ୍ମା ଛୁଏଁ,
ଅବାକ ହୋଇ ସୂର୍ଯ୍ୟଙ୍କୁ ଚାହିଁଲା ବେଳକୁ
ଗତ ରାତିରେ ମୋ କପାଳେ ଅଙ୍କାଥିବା
ଗଭୀର ଆଶ୍ଲେଷର ଜୁଡୁବୁଡୁ ଚିତ୍ରଟି ଏବେ
ଅନ୍ୟ ଗୋଟିଏ ସୂର୍ଯ୍ୟ ହୋଇ
ମୋ ସାମ୍ନା ଆକାଶରେ ଝଟକୁଥାଏ