STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ଅସରାଏ ବର୍ଷା ପରେ

ଅସରାଏ ବର୍ଷା ପରେ

1 min
639

ପ୍ରିୟାର ଓଢଣୀ ଯେହ୍ନେ ଝଲମଲ କରିଉଠେ

ସପ୍ତରଙ୍ଗୀ ଇନ୍ଦ୍ରଧନୁରେ ଦିଗନ୍ତକୁ ଛୁଇଁ,

ଭିଜାମାଟିର ବାସ୍ନାରେ ମହକି ଉଠେ ସମୀର

ପ୍ରିୟାର ଗଜରା ସତେ ପଡିଛି କି କାହିଁ,

ଅସରାଏ ବର୍ଷା ପରେ ଉଭା ଏ ରଙ୍ଗ ମହଲ

ସ୍ୱପ୍ନ କିମ୍ବା ବାସ୍ତବତା ଜାଣି ହୁଏ ନାହିଁ। 


ଘନକଳା ମେଘରେ ତା ଫିଟିଯାଏ କେଶରାଶି

ଆବୋରି ବସେ କି ସତେ ହୃଦ ଅନ୍ତରୀକ୍ଷ,

ଟପ୍ ଟପ୍ ଝରେ ଜଳ ରମ୍ଭାତରୁ ପତରରୁ

ପ୍ରିୟା ଓଦା ବସନର ଦେଇଯାଏ ସାକ୍ଷ,

ଅସରାଏ ବର୍ଷା ପରେ ସାଧବ ବୋହୁଟେ ଆସି

ଘାସପରେ ଧୀରେ ଚାଲେ ପ୍ରିୟା କି ପ୍ରତ୍ୟକ୍ଷ। 


ଶୀତ ପ୍ରଭଞ୍ଜନ ବହେ ଧୀରେଧୀରେ ରହିରହି

ଛୁଇଁଯାଏ ତନୁ ମନେ ଭରି ଶିହରଣ,

ଚମ୍ପକ ଆଙ୍ଗୁଳି ତାର ଛୁଇଁଗଲା ପରି ଲାଗେ

ଏ କି ଅନୁଭବ ସତେ ଜାଗେ ନବପ୍ରାଣ,

ଅସରାଏ ବର୍ଷା ପରେ ଓଳିତଳେ ଝରିଯାଏ

ଶୁଭେ ତା ପାଉଁଜି ଶବ୍ଦ ଯେହ୍ନେ ରୁଣଝୁଣ। 


ସରସୀ ଜଳରେ ଦିଶେ ଉଛୁଳା ତରଙ୍ଗ ମାଳା

ଯୌବନର ଆବେଗ ତା ଭାଙ୍ଗେ ବାଲିବନ୍ଧ,

ପ୍ରଣୟ ବିଭୋର ଚିତ୍ତ ଆକୁଳ ପରାୟେ ସତେ

ଫୁଲିଉଠେ ଜଳରାଶି ଗାଇ ମଧୁଛନ୍ଦ,

ଅସରାଏ ବର୍ଷା ପରେ ଅବ୍ୟକ୍ତ ଜଳୀୟବାଷ୍ପ

ଠିକଣା ପାଇବା ପରେ ହସେ ମନ୍ଦମନ୍ଦ। 


ଲାଜକୁଳୀ ଫୁଲ ପରେ ଢଳଢଳ ଜଳବିନ୍ଦୁ

ପ୍ରିୟା ହସ୍ତେ ଚମକେ କି ହୀରକ ମୁଦ୍ରିକା,

ଦୂର ସବୁଜ ପାହାଡ଼ ଦୁରୁ ଚମକେ ଯେସନ

ପ୍ରିୟା ମୋ ନାଇଛି ମଥାରେ ମୟୁର ଚନ୍ଦ୍ରିକା,

ଅସରାଏ ବର୍ଷା ପରେ ଲେଖୁଛି ଭିଜା କବିତା

ସେ ଆସିବ ନିଶ୍ଚେ ହୋଇ ମୋର ବିଦଗ୍ଧ ପାଠିକା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance