ଅଶ୍ରୁଧାରା ପୋଛି ଦେ ମା'
ଅଶ୍ରୁଧାରା ପୋଛି ଦେ ମା'
ଅଶ୍ରୁଧାରା ପୋଛି ଦେ ମାଆ,
ଅଧରେ ଭରିଦେ ହାସ,
ବିଦୀର୍ଣ୍ଣ ହୃଦୟେ ଜାଗ୍ରତ କର
ନବ ଆଶାର ବିଶ୍ୱାସ।
ଅନ୍ୟାୟ ଅଧର୍ମ ବିନାଶ
କରି ଧର୍ମର ଧ୍ୱଜା ଉଡ଼ା,
ସତ୍ୟ-ନ୍ୟାୟ-ଶାନ୍ତି-ପ୍ରେମେ ମାଆ,
ସୁନ୍ଦର ଧରଣୀ ଗଢ଼ା।।
ଅନ୍ତରର ଅକୁହା ବେଦନା
ନୀରବେ ରହିଛି ଲୁଚି,
ଭଗ୍ନ ଆଶାର ଶୁଷ୍କ କୁସୁମ
ଝରେ ନୟନୁ ପୋଛି।
ଜଗତର ଆରତି ଶୁଣି ମାଆ,
କରୁଣାର ବାରି ଢାଳ,
ଚରଣତଳେ ଶରଣ ଦେଇ
ଦୁଃଖର ତିମିର ଟାଳ।।
କଷ୍ଟହାରିଣୀ ଦଶହରା,
ଦୁର୍ଗତିନାଶିନୀ ମାଆ,
ଦୁଃଖର ମରୁରେ ସ୍ନେହର
ସରିତା ବୁହାଇ ଦେ ମାଆ।
ସୁଖ ଦେଉ ଅବା ଦୁଃଖ ଦେଉ,
ତୋ ଇଚ୍ଛା ମୋର ଶିରୋଧାର୍ଯ୍ୟ,
ତୋ ପାଦପଦ୍ମେ ସମର୍ପିତ ଜୀବନ,
ତୋ କୃପା ମୋର ସୌଭାଗ୍ୟ।।
✨🙇🏻🌺🌺🌺🙏🌺🌺🌺🙇🏻✨
Priyanka Panda
