ଅଶ୍ରୁ
ଅଶ୍ରୁ
ଆସ ପ୍ରିୟତମ ଅପେକ୍ଷାରେ ତୁମ
ଅସହ୍ୟ ହୁଅଇ ବେଳ
ଜମୁନାର ଜଳ ଧରିଲାଣି କୂଳ
ମୋ ଝରା ଲୁହେ କେବଳ ।
ଆସ ପଦତଳ ରଙ୍ଗ ଶତଦଳ
କେଶରେ ଥିବ ଆବୃତ
ଧୋଇ ଚକ୍ଷୁନିରେ ପୋଛି ପଣତରେ
ଦେଖିବି ଦିବ୍ୟ ସଙ୍କେତ ।
କିଛି ଅଶ୍ରୁ ନେଇ ପଦରଜ ଧୋଇ
ରଖିବି ପଣତ ମାନ
ତୁମ ପଦ ପୋଛି ତରିଯିବ ଇଛି
କେତେ ଭରିଛି ମୋ କାନ ।
ଯେଉଁ ଅଶ୍ରୁ ଝରେ ମୋ ଗଣ୍ଡ ଦେଶରେ
ଦେଖ କିଛି ଲାଗିଅଛି
ତୁମ ପୀତ ବାସେ ପୋଛିବାର ଆଶେ
ନିରିଖି ଚାହିଁ ବସିଛି ।
ହୃଦୟେ ବଦନ ନିବିଡେ ସ୍ଥାପିଣ
କିଛି ଅଶ୍ରୁ ମୁଁ ଝରାଇ
ଆହେ ବ୍ରଜରାଜ ଲାଂଚ୍ଛନାର ରଜ
ଶ୍ରୀବତ୍ସାର ଦେବି ଧୋଇ ।
ଆସିବ ସମୟେ ବିଭୋର ହୃଦୟେ
ଭରିଅଛି ଅରମାନ
ଯଦି ନ ଆସିବ ଏଥର ଭୋଗିବ
ମନେ ଭରିବି ଗୁମାନ ।
ଦେଇଣ ବଚନ ଭୁଲ ଅନୁକ୍ଷଣ
ବିରହେ କେତେ ବେଦନା
ଏଥର ଜାଣିବ ନୟନ ଭିଜିବ
ମିଳନ ହୋଇବ ମନା ।
କରିବିନି କୋଳ ବଂଶୀରେ ବିହ୍ୱଳ
ହେବିନି ଲଜ୍ଜାବନତ
ତ୍ରିଭଙ୍ଗିମା ଠାଣି ତେରେଛି ଚାହାଣି
କରିବନି ବିଚଳିତ ।
ଝର ଝର ଲୁହ ଅସରନ୍ତି କୋହ
ଭରିବ ଅନ୍ତର ଯେବେ
ଜାଣିବ ମୋହନ ବିରହିଣୀ ମାନ
ମାପିଣ ଅଶ୍ରୁ ଅର୍ଣ୍ଣବେ ।
ମାତ୍ର ମୋର ରୋଷ ହେଳେ ହରେ ରାସ
ଲୀଳା ଆତ୍ମସତ୍ତା ହରେ
ଶୁଷ୍କ ନୟନରେ ଆନନ୍ଦାଶ୍ରୁ ଭରେ
ନିର୍ଝର ଯେସନେ ଝରେ ।

