ଅଶାନ୍ତ ଧରିତ୍ରୀ
ଅଶାନ୍ତ ଧରିତ୍ରୀ
ଧରିତ୍ରୀ ମାତାର ସୌମ୍ୟ ମୁଖେ ଭରା
ଅକୁହା ବେଦନା ଅସ୍ପଷ୍ଟ କଥା
ସମୟ ଚକ୍ରରେ ନିଷ୍ପେସିତ ସତେ
ମାଆ ମୁଖେ ଦିଶେ ଚ଼ିନ୍ତାର ରେଖା ।
ଅବକ୍ଷୟ ଚିନ୍ତା ଚେତନା ଜାଲରେ
ସତେ ଅବା ଛନ୍ଦି ହୋଇ ପାଇଁ
ସବୁଜ କାନିରେ ନିଆଁ ଜଳୁଅଛି
ତା ଅନ୍ତର କଥା କିଏ ବୁଝୁଛି ।
ସ୍ୱାର୍ଥ ତାଡ଼ନାରେ ନୈସର୍ଗିକ ଶୋଭା
ଉଜୁଡ଼ି ଦିଶୁଛି କି ହିନିମାନ
ଅଶାନ୍ତ ପ୍ରକୃତି ଧ୍ଵଂସ ରଚୁଅଛି
ଅଶାନ୍ତି ରେ ଭରା ଧରିତ୍ରୀ ମନ ।
ଭୂମି ତୋଳି ଧରେ ଶ୍ରୀହୀନ ପସରା
ଭୂମାରେ ପାଣ୍ଡବ ରଚୁଛି ନର
ପରମାଣୁ ଅସ୍ତ୍ର କ୍ଷେପଣାସ୍ତ୍ର ଶଦ୍ଦେ
ଧରିତ୍ରୀ ଅଶାନ୍ତ ହୁଏ ଅଧିର |
ଋତୁ ଚକ୍ର ସ୍ଵେଚ୍ଛାଚ଼ାରୀ ହୋଇଅଛି
ନାହିଁ ସମୟର ମୂଲ୍ୟ ଆଧାର
ଅସମୟ ବର୍ଷା ଅରୁଣ କିରଣ
କେଉଁ ଥିରେ ନାହିଁ ନିଜସ୍ଵ ସ୍ୱର ।
ପ୍ରଖର କିରଣ ଦାବାନଳ କଷ୍ଟ
ବସୁମତୀ ମାଆ କାନ୍ଦେ ଗୁମୁରି
ତା ଜୀବ ଜଗତ ଆତୁରତା ତାକୁ
ଅଶାନ୍ତି ଜାଲରେ ଦେଉଛି ଛନ୍ଦି ।
ପ୍ରେମ ଶୂନ୍ୟ ଏଇ ମଣିଷ ହୃଦରୁ
ଯୋଜୁଅଛି ସତେ ସ୍ନେହ ପରଶ
ବର୍ଣ୍ଣ ଧର୍ମ ବିଭେଦତା ଜଉ ଘରୁ
ଆବାହନ ସମନ୍ବୟର ଫାଶ ।
ଅବକ୍ଷୟୀ ସ୍ରୋତେ ପହଁରି ଖୋଜୁଛି
ସଂସ୍କୃତି, ସଂସ୍କାର ଜୀବନ ଗାଥା
ବିଲୁପ୍ତତା ମଧ୍ୟେ ନିର୍ଲିପ୍ତ ସତେ କି
ଅଶାନ୍ତି ନିଳୟେ ଜାଳେ ସଳିତା ।
ତା ବୁକୁରେ ହୁଏ ଧର୍ଷଣ ଲୁଣ୍ଠନ
ମନେ ଅସରନ୍ତି ବିଷାଦ ଝଡ଼
ଜଳ, ବାୟୁ, ନଦୀ, ହ୍ରଦ ପ୍ରଦୁଷିତ
ପ୍ରଦୁଷିତ ଜନ ଚେତନା ମୋଡ଼ ।
ଯୁଦ୍ଧର ଡାକରା ଗୁଳି ବାରୁଦରେ
ତା ଛାତିରେ ସତେ ଝଡ ବହୁଛି
କପଟ ପଶାରେ ବିଶ୍ଵ ଯେ ଜଡ଼ିତ
ଆତ୍ମୀୟତା ପାଇଁ ଚାହିଁ ବସିଛି ।
କେବେ ତପନର ବିକଟାଳ ରୂପ
କେବେ ବରଷାର ବନ୍ୟା ବିତ୍ପାତ
ସବୁ ଏଠି ନିୟମ ବାହାରେ
ସେଥିପାଇଁ କୁହ କାହା ଦାୟୀତ୍ୱ ।
ଅଶାନ୍ତ ଧରିତ୍ରୀ ଲୁହ ଗଡାଉଛି
ଆମେ ସବୁ ତାର ଅଂଶ ବିଶେଷ
ଆମ ଆଚ଼ରଣେ ଆମ ପ୍ରେମ ପଣେ
ଧରିତ୍ରୀର ଲୁହ ହୋଇବ ଶେଷ ।
ହିଂସା ଦ୍ଵେଷ ତେଜି କ୍ରୋଧକୁ ବିସର୍ଜ
ଧରିତ୍ରୀ ମୁହଁରେ ହିସ ଭରିବା
ଅଶାନ୍ତ ବଳୟ ବିଲୟ କରି ଯେ
ଶାନ୍ତି ସବୁଜିମା ଭରି ଯେ ଯିବା |
ଶାନ୍ତି, ମୈତ୍ରୀ , ପ୍ରୀତି ଫୁଲ ପାଖୁଡାରେ ଧରିତ୍ରୀ ମାଆକୁ ସଜାଇ ଦେବା
ଭ୍ରାତୃତ୍ୱ ମନ୍ତ୍ରରେ ସଂସ୍କାର ସ୍ରୋତରେ
ଧରଣୀରେ ଶାନ୍ତି ପରଶି ଯିବା |
ଚିରନ୍ତନ ସ୍ରୋତେ ପବିତ୍ର ପ୍ଲାବନ
ଋତୁ ପରଶିବ ଦାୟୀତ୍ବ ଧାରା
ଏ ଜୀବଜଗତ ହା ହା କାରୁ ମୁକ୍ତ
ଅଶାନ୍ତିରୁ ମୁକ୍ତି ପାଇବ ଧରା ।
