ଅର୍ଥ-ଅନର୍ଥ
ଅର୍ଥ-ଅନର୍ଥ
ହେ ଯକ୍ଷପତି ପିତା ଧର୍ମରାଜ !
ପ୍ରଶ୍ନ ସବୁ ପଚାରିଲ
ଗୋଟି ଗୋଟି ଦେଲି ମୁଁ ଉତ୍ତର,
କୃତାର୍ଥ ମୁଁ ଯେଣୁ ତୁମ୍ଭେ
ହୋଇଛ ସନ୍ତୁଷ୍ଟ,
ଭାତୃଗଣେ ଦେଲ ଜୀବନ୍ୟାସ,
ମେଲାଣି ଦିଅ ପିତର
ଜଳଘେନି ଯାଏ ମୁଁ ତୁରନ୍ତ,
ପୁତ୍ରବଧୂ ଯାଜ୍ଞସେନୀ ତୁମ୍ଭ
ଅଛନ୍ତି ତୃଷାର୍ତ୍ତ ।
ଶୁଣ ପୁତ୍ର ଯୁଦ୍ଧିଷ୍ଠିର,
ଟଙ୍କା ସୁନା ସମ୍ପତ୍ତି କ୍ଷମତା
ମାତ୍ର ଅର୍ଥ ନୁହଁଇ କେବଳ
ତୁମ୍ଭେ ଜ୍ଞାନୀ ଧୈର୍ଯ୍ୟଶୀଳ
ସଚେତନ ଅଟ ସତ୍ୟସନ୍ଧ,
ସଂସାରର ଦୁଃଖ ସୁଖ ଭୋଗାଭୋଗ
ଠାରୁ ତୁମେ ନିରାପଦ ଦୂର
ଦୃଢ଼ ତୁମ ସଙ୍କଳ୍ପ ନିଶ୍ଚୟ ।
ଏ ସୃଷ୍ଟି ବଟ ବିରାଟ
ମନୁଷ୍ୟ ମାତ୍ର ନିମିତ୍ତ ସୁପୁତ୍ର ଅମୃତ,
ଈଶ୍ୱର ସର୍ବନିୟନ୍ତା ଏଣୁ ଈଶ୍ୱରଙ୍କ
ଇଚ୍ଛା ଅଟେ ସର୍ବୋପରି,
ଅପ୍ରମିତ ଅନାହତ ଇଚ୍ଛାରେ ତାଙ୍କରି
ଚନ୍ଦ୍ର ସୂର୍ଯ୍ୟ ହୁଏ ଆତଯାତ
ପ୍ରଚଳିତ ପ୍ରାଣବାୟୁ ଜଳ ପ୍ରବାହିତ ।
ଏଣୁ ବିଶ୍ଵ କଲ୍ୟାଣ କାରଣେ
ଏ ଜୀବନ କର୍ମ ଧର୍ମ ଅର୍ଥ ପ୍ରାପ୍ତି
ଜୀବନ ସାର୍ଥକ ।
କର୍ମଫଳ ଭୁଞ୍ଜଇ ମଣିଷ,
ଆୟତ୍ତଇ ବିଦ୍ୟା ଓ ଅବିଦ୍ୟା
ପାଏ ତା'ର ଗତି ଆଉ ମୋକ୍ଷ,
ଚିତ୍ତ ଚଳ ଚଞ୍ଚଳ ଓ
ମନୋଦଶା ଅଟଇ ବ୍ୟାପକ,
ଆପଣାକୁ ଶରୀର ନ ମଣ
ଅବବୋଧ ମୁକ୍ତ ଆତ୍ମା ଜ୍ଞାନ ସତ୍ୟ
ଜୀବନ ଉଦ୍ଦେଶ୍ୟ ।
ହିରଣ୍ମୟ ଅଗ୍ନିଦାହ ସମୟ
କଷଟୀପୃଷ୍ଠ,
ସୁବର୍ଣର ଶୁଦ୍ଧାଶୁଦ୍ଧ ଗୁଣମାନ
ପରୀକ୍ଷଣ ହୋଇଥାଏ ବାରଂବାର
ବିଶ୍ଳେଷଣେ ଉତ୍ତରଣ
ସୁଉତ୍ତମ ଜୀବନ ନିଷ୍କର୍ଷ ।
ଚନ୍ଦ୍ର ପରି ଝଲମଲ ଦିଶୁଥିବା
କ୍ଷଣଭଙ୍ଗ ମିଛ ମାୟାମୋହ
ନିଶ୍ଚିତ ଯେ
ସୁଧା ମଧୁ ଯୁକ୍ତ,
ଏ ଅବଧାରଣା ସତ୍ୟ ନୁହଁ ସବୁବେଳେ
ହୋଇପାରେ ମଧ୍ୟ ଭ୍ରମାତ୍ମକ ।
ଅକ୍ଷର ଅମୃତକଣ ଅଣାକାର
ମାତୃଗର୍ଭେ ହୁଅଇ ସଞ୍ଚାର,
ଓଁକାର ସ୍ୱରୂପ ସୃଜେ ଗରୀୟସୀ ଏଣୁ ମାତା
ମାତା ହିଁ ଈଶ୍ୱର ।
ପିତା ଧର୍ମ ପିତା ସ୍ୱର୍ଗ ପିତା ତପ
ପିତୃଲୋକ ଆଲୋକର ପଥ,
ସ୍ଥିତପ୍ରଜ୍ଞ ହୁଅ ପୁତ୍ର ଦୀର୍ଘାୟୁ
ହୁଅ କୀର୍ତ୍ତି ଏବଂ ଯଶୋବନ୍ତ।
ଯାଅ ବତ୍ସ ! କର୍ତ୍ତବ୍ୟ ପଥ ଉନ୍ମୁକ୍ତ
ହୁଅ ଅଗ୍ରସର,
ସୈ।ଜନ୍ୟତା ଆଚର ସୁନ୍ଦର,
ଅବଦମ ନୀଚ୍ଚପଣ ଅନୀତି
ଅନଧିକାର,
ସ୍ୱ।ଧୀକାର,ସ୍ୱପ୍ରବେଶ,ସ୍ୱପ୍ରତିଷ୍ଠା
କର ସୁନିଶ୍ଚିତ,
ସୁମଙ୍ଗଳେ ସମୁଚିତେ ସମ୍ଭାଷ ମଧୁର,
ପର ଉପକାର ଏବଂ ଅତିଥିଦେବ ସତ୍କାରେ
ସ୍ୱଉନ୍ନତି ହେଉ ତୁମ୍ଭ
ଉତ୍ତର ଉତ୍ତର।
