ଅର୍ଜିତ ପୁଣ୍ୟର ପ୍ରତିଶ୍ରୁତି ତୁମ
ଅର୍ଜିତ ପୁଣ୍ୟର ପ୍ରତିଶ୍ରୁତି ତୁମ


ଅର୍ଜିତ ପୁଣ୍ୟର ପ୍ରୀତି ପ୍ରତିଶ୍ରୁତି
ଅଦୃଶ୍ୟ ବିନ୍ଧାଣି ତୁମେ
ଅନିର୍ବଚନୀୟ ଅମୃତ ସର୍ଜନା
ଅପାନ୍ତେୟ ପଥ ଧାମେ l
ଅସୀମ ତୁମର ସୃଷ୍ଟ ଏ ସଂସାରେ
ଅୟୁତ ଆଶାର ନଈ
ଅମଳିନ ତବ ଅନୁଶାସନରେ
ଅବନୀ ଯାଉଛି ଧାଇଁ l
ଅପରୂପ ତୁମ ସୌନ୍ଦର୍ଯ୍ୟ ସୁଷମା
ଅଜସ୍ର ଶୁଭେଚ୍ଛା ବାଣ୍ଟି
ଅସୁମାରୀ ପାପ ଧୋଇଦିଏ ତୁମ
ଅଧାଗଢ଼ା ତନୁ କାନ୍ତି l
ଅନେକରେ ଏକ ଏକରେ ଅନେକ
ଅସମାପ୍ତ ଚିନ୍ତାଧାରା
ଅକ୍ଷୟ ଅମ୍ଳାନ ତୁମ ଅବଦାନ
ଅନ୍ତରଙ୍ଗେ ହେଉ ଭରା l
ଅନ୍ତର୍ଯ୍ୟାମୀ ତୁମେ ପତିତପାବନ
ଅନୁସନ୍ଧିତ୍ସାର ଭାବ
ଅନ୍ଧାରି ମୁଲକେ ଆଶାର ଆଲୋକ
ଅପାର୍ଥିବ ଅନୁଭବ l
ଅସରା ଲୁହରେ ଭରା ମୋ ପସରା
ଅଶାନ୍ତ ମୁଁ କାହିଁ କୁହ
ଅଯାଚିତ ତୁମ ପ୍ରେମ ପାରାବାରେ
ଅକୁଣ୍ଠେ ପଖାଳେ ଦେହ l
ଅର୍ଘ୍ୟ ଥାଳି ଧରି ରହିଛି ଅନାଇ
ଅରକ୍ଷିତା ଗୀତାଞ୍ଜଳି
ଅର୍ପଣ କରୁଛି ନିବିଡ଼ ନୈବେଦ୍ୟ
ଅସରନ୍ତି ଶ୍ରଦ୍ଧାଞ୍ଜଳି l