ଅପୂର୍ବ ଶାନ୍ତି
ଅପୂର୍ବ ଶାନ୍ତି
ଚକାଆଖି ତୁମ ନିତି କାନ୍ତି
ମନରେ ଅପୂର୍ବ ଶାନ୍ତି
ସୃଷ୍ଟି ଅଗଣାର ସାତରଙ୍ଗେ
ହୃଦୟେ ଭାବ ପ୍ରୀତି
ଭାବର ନାୟକ ଭକ୍ତିର ବାହାକ
ଜଗାଅ ମଧୁର ମୈତ୍ରୀ
ମନ ଉପବନେ ଭକ୍ତି ଶତଦଳେ
ପ୍ରାର୍ଥନା ପ୍ରଣାମୀ ମୁକ୍ତି
ନିସର୍ତ୍ତ ସର୍ତ୍ତର ତୁଳନା ନାହିଁ କାହିଁ
ଲଭିବାକୁ ଶ୍ରଦ୍ଧା ଶ୍ରୁତି
ଦେଇଛ ଯେତିକି ନଦେଇଛ ବୋଲି
କହିବି କୁହ କେମିତି
ତୁମରି ଧାମରେ ଜନମ ନେଇଛି
ସ୍ବର୍ଗଦ୍ୱାରେ ହେବି ଇତି
ନୀଳଚକ୍ର ସହ ପତିତପାବନବାନା
ଉଡି ଦେଖାଏ ବିଶ୍ୱ ଜାଗୃତି
ଏଇ ସହରରେ ଚକାଆଖି ପରା
ଗତି ମୁକ୍ତି ଓ ନିସ୍କୃତି
ଗୋଡ଼ ଥୋଇବାକୁ ଦୁଇ ପାଦ ଭୂମି
ଲୋଡ଼ା ନାହିଁ ଚିତ୍ରଗୀତି
ଚିତ୍ର ଚୈତ୍ରର ବିଭବ ମେଲି ଖୋଲି
ଚକାଆଖି ଦିଅ ପ୍ରୀତି
କି ରଙ୍ଗ ଖଞ୍ଜି ରଙ୍ଗ ଅଧରରେ
ଫୁଟାଅ ଭାବ ଭକ୍ତି ପ୍ରୀତି ମୈତ୍ରୀ
ତୁମ ଛଡା ମହାବାହୁ ପାଇବି କାଁହୁ
ଆଖିରେ ଅପୂର୍ବ ଶାନ୍ତି
ଦର୍ଶନେ ଦାର୍ଶନୀ ମୁକ୍ତି
ପୂର୍ଣ୍ଣକୁମ୍ଭ ପୟମୁଖ ଭକ୍ତି
ଓଁ ନମଃ ଓଁ ନମଃ ଡାକ ପଡୁଅଛି
ଭକ୍ତି ପୁଷ୍ପାଞ୍ଜଳି ହସ୍ତେ ଶରଣାର୍ଥୀ ।
