ଅପୂର୍ବ ଅନନ୍ୟ ଦୃଶ୍ୟ
ଅପୂର୍ବ ଅନନ୍ୟ ଦୃଶ୍ୟ
ଆକାଶକୁ ଚାହିଁ ଅନେଇ ରହିଛି
ଦେବସ୍ନାନ ପୂର୍ଣ୍ଣିମାକୁ ।
ପୂର୍ଣ୍ଣିମା ଆସିଲା ଆସି ଚାଲିଗଲା
ଦେଖିଲିନି କାଳିଆକୁ !!
ମୋ' ପାଖରେ ନାହିଁ ସିଧା ପ୍ରସାରଣ
ଦେଖିବି ମୋ' ଭାଗ୍ୟ କାହିଁ !
କୁବେରପତିଙ୍କ ଭକ୍ତ ତାଲିକାରେ
ମୋ' ଭାଗ୍ୟର ନାଁ ନାହିଁ ।।
ଅବଶ୍ୟ ଦେଖିଲି କଳ୍ପନା ଚକ୍ଷୁରେ
ଅପୂର୍ବ ଅନନ୍ୟ ଯାତ ।
କେମିତି ଦେଖନ୍ତି ପ୍ରତ୍ୟକ୍ଷ ଭାବରେ
ଚର୍ମ ଚକ୍ଷୁ ବିବର୍ଜିତ ।।
ଭକତିରେ ମୋର ଭାବର ଅଭାବ
କାଣିଚାଏ ତ ନଥିଲା ।
ଅପ୍ରତ୍ୟାଶିତ ଏ ଭୁତାଣୁ ସଙ୍କଟ
ଇଚ୍ଛାକୁ ପ୍ରହାର କଲା ।।
ଆହେ ଲୀଳାମୟ ତୁମରି ଲୀଳାର
ଏ କି ନବ କଳେବର ।
ରୀତିରେ ନୀତିରେ ଗୁପତ ଭାବରେ
ଗଲ ଗୃହ ଅଣସର !!
ଏ ସ୍ନାନ ପୂର୍ଣ୍ଣିମା ତୁମ ପାଇଁ ସିନା
ସ୍ନାନ ପାଇଁ ଶୁଭ ଘଡି ।
ମୋ' ପାଇଁ ବିରହ ବିଧୁର ଲଗ୍ନର
ଅତର୍କିତ ଘଡ଼ଘଡି ।।
ଜ୍ୟେଷ୍ଠ ପୂର୍ଣ୍ଣିମାର ପବିତ୍ର ତିଥିରେ
ଭକ୍ତଙ୍କର ସମାଗମ ।
କାହିଁ ଗଲା ସେଇ ସ୍ନାନ ମଣ୍ଡପର
ଅଭିନବ ଆକର୍ଷଣ ??
ସ୍ନାନ ପୂର୍ଣ୍ଣିମାର ଗୁଟି ପହଣ୍ଡିରେ
ଲୋକାରଣ୍ୟର ଅଭାବ ।
ଶ୍ର
ଦ୍ଧାଳୁବିହୀନ ସ୍ନାନ ମଣ୍ଡପରେ
ଭକ୍ତହୀନ ଭିନ୍ନ ଭାବ ।।
ଶ୍ରଦ୍ଧାଳୁ ଭିଡରେ ଭକ୍ତି ଶରଧାରେ
ଆସୁଥିଲ ମଣ୍ଡପକୁ ।
ସ୍ନାନ ମଣ୍ଡପ ବି ସଂଯମେ ସଂଭ୍ରମେ
ସ୍ୱାଗତୁଥିଲା ତୁମକୁ ।।
ହେ କଳା ସାଆନ୍ତ ଅବର୍ଣ୍ଣନୀୟ ସେ
ସ୍ନାନଯାତ୍ରା ଲୀଳାଖେଳା ।
ବରଷକେ ଥରେ ଶ୍ରଦ୍ଧାଳୁଙ୍କ ପାଇଁ
ଅନନ୍ୟ ଅମୃତ ବେଳା ।।
ହଳଦୀ ଚନ୍ଦନ କର୍ପୂର ତୁଳସୀ
ଶ୍ରୀ ଜୀଉ,ତୁମରି ଲାଗି ।
ଶ୍ୱେତପୁଷ୍ପ ଆଉ ଅପୂର୍ବ ଟାହିଆ
ତୁମ ସ୍ନାନ ସହଭାଗୀ ।।
ସେଦିନ ତୁମରି ଦର୍ଶନାଭିଳାଷୀ
ଭକତ ଅଲାରନାଥ ।
ଦର୍ଶନ ନ ପାଇ ଆତ୍ମ ବିସର୍ଜନ
ପାଇଁ ତାଙ୍କରି ସିଦ୍ଧାନ୍ତ ।।
ଅନବସରରେ ଶ୍ରୀ ଅଙ୍ଗ ବାଧକି
ଥାଇ ଦେଲ ସ୍ୱପ୍ନାଦେଶ ।
ବ୍ରହ୍ମଗିରି ଠାରେ ସମୁଦ୍ର ତଟରେ
ପୂର୍ଣ୍ଣ ହେବ ଅଭିଳାଷ ।।
ନୁହେଁ ମୁଁ ଅଲାର ଦୀନ ଅକିଞ୍ଚନ
କରିବିନି ଆତ୍ମୋତ୍ସର୍ଗ ।
ଅପେକ୍ଷା କରିବି ଆସନ୍ତା ବର୍ଷକୁ
ଲଭିବି ଦର୍ଶନ ଯୋଗ !!
ସ୍ନାନ ମଣ୍ଡପରେ ତୁମ ଦର୍ଶନର
କୋଟି ପୁଣ୍ୟ ଅଭିଳାଷ ।
ତୁମରି ଇଚ୍ଛାରେ ବିଲୋକି ପାରିବି
ଅପୂର୍ବ ଅନନ୍ୟ ଦୃଶ୍ୟ !!