ଅପମାନ
ଅପମାନ
ବିହି ଗଢିଛନ୍ତି ଅଙ୍ଗ ରୂପ କାନ୍ତି
ଶରୀରର ଅବୟବ
ବାକଶକ୍ତି ଗୁଣ ମୁଖରେ ଶୋଭନ
ସୂଚାଏ ହୃଦୟ ଭାବ ।
ମଧୁର ବଚନ ଅମୃତ ସମାନ
କିଣେ ସବୁରି ହୃଦୟ
କର୍କଶ ବଚନ ଦେହେ ଅଗ୍ନି ସମ
କରେ ସଭିଙ୍କୁ ଅପ୍ରିୟ ।
ସପ୍ତପଦ ବାଣୀ ସାବିତ୍ରୀ ଦୁଲଣୀ
କହି ତୋଷିଥିଲେ ଯମ
ହେଲେ ଜଗତ୍ଜିତା ସେ ପତିଭକତା
ଫେରି ପାଇ ସ୍ୱାମୀ ପ୍ରାଣ ।
ମଧୁର ବଚନେ ଦରିଦ୍ର କେ ନୁହେଁ
ସର୍ବ କାର୍ଯ୍ୟରେ ସଫଳ
କହି ଉଚ୍ଚବାଣୀ ବିଷ ଭରେ ପୁଣି
ହୁଅଇ ସର୍ବେ ବିଫଳ ।
ଭଲ ମନ୍ଦ ବାଣୀ ବୁଝି ତତକ୍ଷଣୀ
ଆତ୍ମୀୟ ସ୍ୱଜନ ମଧ୍ୟେ
ବିନୟ ବଚନେ ତୋଷି ତାଙ୍କ ମନେ
ଅସାଧ୍ୟ କାର୍ଯ୍ୟକୁ ସାଧ୍ୟେ ।
ରାଗ ଦ୍ୱେଷ ଭରେ ଶତ୍ରୁତା ମନରେ
କ୍ରୋଧର ବହ୍ନି ଉତ୍ପନ୍ନ
ସରଳ ବିନୟ ବଚନ ବଦଳେ
ଦେଇଥାଏ ଅପମାନ ।
କଟୁକ୍ତି ବଚନ ମୁହେଁ ଅପମାନ
ମିତ୍ରତାରେ ତ ଶତ୍ରୁତା
ଶୁଭାକାଂକ୍ଷୀ ଗଣ ଶତ୍ରୁରେ ସମାନ
ବୈରୀ ନିଜ ପିତାମାତା ।
ଅପମାନେ କାର୍ଯ୍ୟ ନୁହେଁ ସମ୍ପାଦିତ
ମଧୁର ବଚନେ ସିଦ୍ଧ
ଅପମାନ ନିଆଁ ଜାଳେ ନିଜ ରକ୍ତ
ରକ୍ତ ସମ୍ପର୍କରେ ବନ୍ଧ ।
ଶ୍ରେଷ୍ଠ ମାନବର ଶ୍ରେଷ୍ଠ ଅଳଙ୍କାର
ଶ୍ରଦ୍ଧା ବିନୟ ବଚନ
ସଂସାରରେ ସିଏ ହାରେ ନାହିଁ ଯିଏ
ସଦା ଆଚରେ ଏ ଗୁଣ ।
