ଅଫେରା ବାଟୋଇ
ଅଫେରା ବାଟୋଇ
ପୂରୁବ ଆକାଶେ ଉଇଁ ରବି ହସେ
ପଶ୍ଚିମରେ ଅସ୍ତ ଯେହ୍ନେ
ସେପରି ମାନବ ଜନମି ଏ ଭବ
ମୃତ୍ୟୁ ଲଭେ ଏକ ଦିନେ ।
ପ୍ରତ୍ୟହ ସୂରୁଜ ଫେରି ଆସିଥା'ନ୍ତି
ସେହି ଏକ ରୂପ ଧରି
ମାତ୍ର ଏ ମଣିଷ ଧରି ଭିନ୍ନ ରୂପ
ପୁନର୍ବାର ଆସେ ଫେରି ।
ଅନ୍ତରୀକ୍ଷ ପଥେ ଗମନ୍ତି ଭାସ୍କର
ଦେଇ ଉଜ୍ଜ୍ବଳ କିରଣ
ନର ଦେହେ ଦେହୀ ସାଜଇ ବାଟୋଇ
ନିଜ ଆଭା ପ୍ରକାଶିଣ ।
ମେଘ କୋଳେ ଲୁଚି ପୁଣି ଦେଖା ଦେଇ
ସୂର୍ଯ୍ୟ ଯେପରି ପଥିକ
ମାନବ ସେପରି ଦୁଃଖସୁଖ ଧରି
କାଟଇ ଜୀବନଯାକ ।
ସେ ପଥିକଟିଏ ଜୀବନ ପଥରେ
ଆଶା ବୃକ୍ଷେ ରଖି ଧ୍ୟାନ
କେବେ ଲଭେ ଛାଇ କେବେ ବି ବତାସ
ଏ ତ ମାନବ ଲକ୍ଷଣ ।
ଶେଷ ହେଲେ ବାଟ ନହୁଅଇ ଭେଟ
ଆଉ ଆତ୍ମୀୟ ସ୍ବଜନେ
ସେଥିପାଇଁ ପରା ବୋଲନ୍ତି ସକଳେ
ଅଫେରା ବାଟୋଇ ଜନେ ।