STORYMIRROR

Sarita Rani Mohanty

Abstract

2  

Sarita Rani Mohanty

Abstract

ଅପେକ୍ଷାରେ ସାଥୀ ମୋର

ଅପେକ୍ଷାରେ ସାଥୀ ମୋର

1 min
3.0K

ଦେଇ ପାରିବକି ଟୋପାଏ ସିନ୍ଦୂର

   ଦୁଇ ପଟ ନାଲି ଚୁଡି

ଦୁନିଆ ଆଗରେ ଦେଖେଇବି ନେଇ

    ଆମ ଏ ସୁନ୍ଦର ଯୋଡି।


ପାଦରେ ନାଇବି ପାଉଁଜି ତୁମରି

   ଆଖିରେ ନାଇ କଜଳ

ଷୋଳ ଶୃଙ୍ଗାରରେ ସଜେଇ ହେବି ମୁଁ

   ରହିଥିବ କାଳ କାଳ।


ଗଭାରେ ଗଜରା ସଜେଇ ଦେବ ମୋ

   ସିନ୍ଥିରେ ଦେବ ସିନ୍ଦୂର

ସୀମନ୍ତିନୀ ସାଜି ଯିବି ମୁହିଁ ହଜି

   ଶକ୍ତି ହେବ ତୁମେ ମୋର।


ଗୋରା ପାଦେ ପୁଣି ତୁମରି ନାମରେ

   ନାଇବି ଯେବେ ଅଳତା

ଅନେକ ଦିନରୁ ମୋ ପାଖରେ ପରା

   ସେ ସବୁ ଅଛି ସାଇତା।


ଭାବନା ରାଇଜେ ଭାବୁ ଥିଲି ଯେବେ

   ମୋ ପାଇଁ ସାତ ସପନ

ହଜିଛି ସିନ୍ଦୂର ଧୋଇଛି କଜଳ

   ଦୋ ଛକିରେ ଏ ଜୀବନ।


ସେ ଜଗା କାଳିଆ ତା ପାଖେ ରଖିଛି

   ମୋର ସେ ଶେଷ ଠିକଣା

ସ୍ଵର୍ଗ ଦ୍ୱାରେ ନେଇ ଜମା ଦେଇଅଛି

    ମୋର ଯେତେକ ପାଉଣା।


ମାଗି ନାହିଁ କେବେ ପାଉଣାକୁ ମୋର

   କରିଛି ଅପେକ୍ଷା ଆଜି

ମୋ କର୍ମର ଫଳ ଭୋଗିବର ପାଇଁ

   ସୁଖ ମୋ ଯାଇଛି ହଜି।


ଦୀନବନ୍ଧୁ ନାମ ପାଇଅଛି ଯିଏ

   ଶୁଣିବ ଦରିଦ୍ର ଦୁଃଖ

ସେଦିନ ମୋପାଇଁ ଫେରି ତ ଆସିବ

    ପାଇ ଯିବି ମୋର ସୁଖ।


ମୋ ଜୀବନ ସାଥୀ ଥିଲେ ମୋ ସାରଥୀ

    ମୋ ସଂସାର ନାବ ପାଇଁ

ନାବ ମୋ ରହିଛି ସାରଥୀ ହାଜିଛି

   ଖୋଜି ଆଜି ପାଏ ନାହିଁ।


ନାହିଁ ଅଭିଯୋଗ ନାହିଁ ପ୍ରତିବାଦ

   କରିଲି ତାକୁ ବରଣ

ମୋ ଆଖିର ଲୁହ ଛାତି ତଳ କୋହ

   ଦେଲା ଏ ନୂଆ ଜୀବନ।


ଲୁହ ମୋ ଶୁଖିବ କୋହ ମୋ ନ ଥିବ

   ଇତି ହେବ ଜୀବନର

ଦୁଇ ମନ ସେଠି ହୋଇବ ମିଳନ

   ଅପେକ୍ଷାରେ ସାଥୀ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract