!! ଅନୁତାପ !!
!! ଅନୁତାପ !!
ଈଶ୍ବର ହେ ଥରେ ବିଶ୍ବପରେ ଦେଖ
କଲାକର୍ମେ ଅନୁତାପ
କେମିତି ଜୀବନ ଦହେ ଅପଘନ
ଅନ୍ତର ତଳେ ତା ଛାପ ।
କେତେ ଯେ ବନ୍ଧୁର ପଥପରେ ଚାଲି
କିଏ ବୁଣେ ଶ୍ରଦ୍ଧା ଫୁଲ
କିଏ ତାର ପଥେ କଣ୍ଟାର ଗାଲିଚା
ଶବଦରେ ନିଆଁ ଝୁଲ ।
କେଉଁ ଅପରାଧେ କ୍ରୁଶବିଦ୍ଧ ଯୀଶୁ
ଗାନ୍ଧି ଖାଏ ଗୁଳି ଚୋଟ
ସକ୍ରେଟିସ୍ ଗୁରୁ ପିଏ ହଳାହଳ
କିଏ ଖାଏ ବାକ୍ୟେ ଛାଟ ।
ବଡ ଅବୁଝା ଏ ଅଳିକ ମଣିଷ
କଳି ମଞ୍ଜି ପୋତୁଥାଏ
ମିଛ ଅହଂକାରେ ପରନିନ୍ଦା କରେ
ଛଟପଟେ ରାତିପାହେ ।
ନ ବୁଝି ନ ଜାଣି ଚରିତ୍ର ସଂହାରେ
ଅପନିନ୍ଦା ଦେଉଥାଏ
ନିଜେ ଦିନେ ସିଏ ସେଇ ନିନ୍ଦା ପାଇ
ଅନୁତାପେ ଦହି ହୁଏ ।
କେତେ କେ ଗଲେଣି ଭବ ମଣ୍ଡଳରୁ
କମଣ୍ଡଳୁ ଶୂନ୍ୟ ଆଜି
ମିଛ ବଡପଣ ନିନ୍ଦା ଅକାରଣ
ଅନୁତାପେ ପଡେ ଭାଜି ।
କଲା କର୍ମପାଇଁ ସାବଧାନ ହୋଇ
ସଂସାରେ ଯେ ଆତଯାତ
ସିଏ ବୁଦ୍ଧିମାନ ବିବେକୀ ମଣିଷ
ମୋହେ ସଭିଙ୍କର ଚିତ୍ତ ।
ଛୁଟି ଗଲେ ଗୁଳି ଶର ବା ହାବେଳୀ
ଫେରିକି ଆସିବ ଥରେ
ଅନୁତାପେ ସିନା କାଳକ ସରିବ
ନୟନର ଅଶ୍ରୁ ନୀରେ ।
କାହାପାଇଁ ମନେ ଅସୂୟା ଭାବନା
ଆଣ ନାହିଁ ସୁଧୀ ଜନେ
ବଇରୀ ନ ସାଜି ବନ୍ଧୁ ପଣ ହେଜି
ପୂଣ୍ୟ ଅରଜ ଜୀବନେ ।
କେତେ ହତାଦର ଆତ୍ମୀୟ ସୋଦର
ପିତା ମାତା ଜରାଶ୍ରମେ
ନିଜେ ଭୋଗ ଯେବେ ଜରାର ତାଡନା
ଅନୁତାପ ଆସେ ମର୍ମେ ।
କର୍ମ ଯଦି ହୁଏ ମହତ ମହାନ
ଅନୁତାପ ଲୋଡା ନାହିଁ
ସୁକର୍ମରେ ନର ହୁଅନ୍ତି ଅମର
ଲୋଡା ତ ଛ'ହାତ ଭୂଇଁ !!
