ଅନୁରୋଧ
ଅନୁରୋଧ
ମୁଁ ଏକ ଭିନ୍ନ ବିହଙ୍ଗ,ମୁକ୍ତାକାଶ ରଙ୍ଗମଞ୍ଚର ସର୍ବ କନିଷ୍ଠ ଅଳିନ୍ଦ
ବିନା ପ୍ରତାରଣାରେ ମେଲାଇନି ମୋ ଡେଣା ଦିଓଟି, ଘୁରିବୁଲେ ଦିନାଙ୍କର ରଙ୍ଗ ଶୁଖିଲା ଯାଏଁ
ସଂକୁଚିତ ହୁଏନି ମୋ ପଥ ସବୁ ଅବରୋଧର ସୀମା ନିର୍ଦ୍ଧାରଣ ନହେବା ଯାଏଁ
ମୁଁ ହେଜୁଥାଏ ମର୍ମେ ମର୍ମେ ରକ୍ତିମ ଆକାଶର ସ୍ଵର୍ଣ୍ଣାଭ ବଳୟକୁ
ବିନା କଟାକ୍ଷ ରେ ଅମୃତ ସୋପାନ ସବୁ ହୁଏନି ଅଙ୍କାବଙ୍କା ବ୍ୟଙ୍ଗ ବହୁଳ
ବସା ବାନ୍ଧେ କଣ୍ଟକିତ ଚୁଡା ପରେ , ନିରୁଦ୍ଧିଷ୍ଟ ବିଶ୍ୱାସମାନେ ଆକ୍ତାମାକ୍ତା କରନ୍ତି
ହେ ବିଚିତ୍ର ସୃଷ୍ଟିର ସର୍ବଶ୍ରେଷ୍ଠ ସ୍ରଷ୍ଟା !
କରିଦିଅ ମୋତେ କ୍ଷତାକ୍ତ,ନିଶବ୍ଦ ନିଥୀର, କରିଦିଅ ବନ୍ଦୀ ସମୟର ପଞ୍ଜୁରିରେ
ଆଉ ଶଙ୍ଖୁଳେଇବିନି ତୁମ ପୁଣ୍ୟ ପ୍ରତ୍ୟୁଷକୁ କିଚିରି ମିଚିରି ଶବ୍ଦରେ
ନୀଳ ନିମନ୍ତ୍ରଣ ଫାଶରେ ପଡିଯାଉ ଉନ୍ମାଦର ଯବନିକା
ସ୍ମୃତି ଚୌହଦୀରେ ରହିଯାଉ ମୋ ଜୀବନ ତମାମ ତିକ୍ତ ମଧୁର ଲୁଚକାଳି ଖେଳ
ଉପଚାର ଆଳରେ ସ୍ଵୀକୃତି ଦିଅ ଆଜୀବନ ବନ୍ଦିନୀର, ମୋ ଶେଷ ଅନୁରୋଧର ସ୍ଵାକ୍ଷରରେ....
ମୁଁ ଏକ ଭିନ୍ନ ପ୍ରସଙ୍ଗ
ଦେଖା ! ସମୟର ଋତୁ ଚକ୍ରରେ ମୁଁ ପୁଣି ବିମୁକ୍ତ
ହେ ପ୍ରହର! ଟିକେ ଆସନ୍ତନି, ପରଖି ନିଅନ୍ତ ମୋ ପାରିବା ପଣକୁ
ମୁକୁଳେଇ ଦିଅନ୍ତ ମୋ ସତ୍ତାରେ ବାକି ରହିଥିବା ଅକୃପଣ ସ୍ନେହ ସମ୍ଭାରକୁ
ତୁମ ମଧୁର ନିର୍ଯ୍ୟାତନା ସବୁକୁ ପଛରେ ଛାଡ଼ିଦେଇ ମୁଁ ଆଜ଼ି ନିଃସ୍ୱ ସାଗର ବେଳାରେ
କୋଳେଇ ନିଅନ୍ତକି ଦିଗନ୍ତ ବିସ୍ତାରୀ ସାଗର ବକ୍ଷକୁ
ଜରାଜୀର୍ଣ୍ଣ ଅବୟବ ପୁଣି ହୁଅନ୍ତା ଲବଣାକ୍ତ ମୋକ୍ଷ ପିପାସୁ ଲହୁରେ ଲୁହରେ
ତଟରକ୍ଷୀ ସାଜି ଭାସୁଥାନ୍ତି ଅଥଳ ଜଳ ରାଶିରେ, ଅକାତ କାତ ସ୍ମୃତି ଭଉଁରୀରେ
ପୁଣି କେବେ ପରିତ୍ୟକ୍ତ ଶାମୁକା ସମ ତୁମ ପବିତ୍ର ପୟୋଧିକୁ ନିତି ଛୁଉଁଥାନ୍ତି
ମୋ ଅସ୍ତିତ୍ଵ ବାହାନାରେ, ତୁମ ଅନୁରାଗର ସ୍ଵାକ୍ଷରରେ ...ରଖିବ ତ ମୋ "ଅନୁରୋଧ"??...