ଅନ୍ତସ୍ୱର
ଅନ୍ତସ୍ୱର
ସଂସାର କାନନେ
ତୁମେ ପରା
ସଜ ଫୁଟା ଫୁଲ,
ତୁମ ପାଇଁ ସୁରଭିତ
ସମାଜର ପ୍ରତିଟି
ସଞ୍ଜ ଆଉ ସକାଳ,
ତୁମେ ତ କେବଳ
ନାରୀ ନୁହଁ....
ତୁମେ ସୁତା,ଭଗିନୀ
ଜାୟା ପୁଣି ଜନନୀ
ତଥାପି କାହିଁକି
ଏ ସମାଜ ଦିଏ ନାହିଁ
ତୁମରି ମୂଲ ?
କ'ଣ ପାଇଁ
ସବୁ ପାଇବାର
ପୂର୍ଣ୍ଣତା ଭିତରେ
କିଛି ନ ପାଇବାର
ଶୂନ୍ୟତାକୁ ଆପଣାଇ
ସ୍ୱାର୍ଥବାଦୀ ର ଡାହାଣିଆ
ଆଖିରେ ହଜାଉ ଥିବ
ନିଜର ଅସ୍ତିତ୍ବ
ମୁଖ ମଣ୍ଡଳରେ
ଉକୁଟାଇ ଅବ୍ୟକ୍ତ
ଯନ୍ତ୍ରଣାର ମାନଚିତ୍ର ?
ଆଉ କେତେ ଦିନ
ଅନ୍ୟର ଖୁସି ପାଇଁ
ନିଜର ସୁଖକୁ
ଜଳାଞ୍ଜଳି ଦେଇ
ସାଉଁଣ୍ଟୁଥିବ
ମୁଠା ମୁଠା ପ୍ରତାରଣା ?
କେତେ ଦିନ କଂସର କାରାଗୃହେ
ପରାଧୀନତାର ଶିକୁଳିରେ ଛନ୍ଦିହୋଇ
ଆର୍ତ୍ତନାଦ କରୁଥିବ ?
ନିଜର ସ୍ୱପ୍ନକୁ
ଅପାରଗତା ପଣିଆ ତଳେ
କବର ଦେଇ
କେତେ ଦିନ ବଞ୍ଚି ପାରିବ
ଛଳନାର ସେହି କୃତ୍ରିମ
ସ୍ନେହ ,ପ୍ରେମର ଅମ୍ଳଜାନ ପିଇ ?
ତୁମେ କ'ଣ ଚାହଁ ନାହିଁ
ସ୍ୱାଧୀନତାର ସ୍ୱାଦ ଚାଖିବାକୁ,
ଚାହଁ ନାହିଁ ଜିଣିବାକୁ
ଜୀବନର ଯୁଦ୍ଧ ?
କେତେ ଦିନ ?
ଆଉ କେତେ ଦିନ
ସମୟ ଓ ସମାଜ ହାତରେ
ଖେଳନା ସାଜି ଥିବ,
ମୁକ୍ତିର ପ୍ରତିକ୍ଷାରେ
ସାଜିଥିବ ପାଷାଣୀ ଅହଲ୍ଯା ?
ନିଜର ସ୍ୱାଭିମାନକୁ ବଳି ଦେଇ
ହେଉଥିବ ବିବସନା
କୌରବ ସଭାରେ ?
ତୁମେ ପରା
ଯାଜ୍ଞସେନୀ, ସୀତା, ଦୁର୍ଗା, କାଳି ।
ପୁଣି ଭୟ କ'ଣ ପାଇଁ ?
କାହିଁକି ନିଜକୁ ଜାଳି ଦିଅ
ନିନ୍ଦା ଅପବାଦର
ଉତ୍ତପ୍ତ ବହ୍ନିରେ ?
ଉଠ
ଜାଗ୍ରତ ହୁଅ
ଗଗନ ପବନରେ
ଝଙ୍କୃତ କର ନିଜର ଅନ୍ତସ୍ୱର ,
ଆଜିର ପୁରୁଷ ପ୍ରାଧାନ୍ୟ ସମାଜ ରେ
ନିଜର ସତୀତ୍ବ ଓ ପରାକ୍ରମ ବଳେ
ପ୍ରତିବାଦର ଲେଲିହାନ୍ ଶିଖାରେ
ଜାଳି ଦିଅ ଅନ୍ୟାୟ, ଅନୀତି
ବ୍ୟଭିଚାର ମୁଖାପିନ୍ଧା
ମହିଷାସୁରମାନଙ୍କୁ
ଆଉ ପ୍ରାପ୍ତ କର
ନିଜର ପ୍ରାପ୍ୟ ସ୍ୱାଧୀନତା ।