ଅନ୍ତର୍ଦାହ
ଅନ୍ତର୍ଦାହ


କେବେ କାହା ମନ ପଢ଼ିକି ପାରିଛ
ମାପିଛ କି ପରିସୀମା,
କେବେ ଯୋଡ଼ିଛକି ଭଗ୍ନ ହୃଦୟକୁ
ବୁଝି ପାରିଛ ବେଦନା ।
କେବେ ଆପଣାର କରିଛ କାହାକୁ
ଅସହାୟ ଦୁଃଖୀ ଦେଖି,
ଭୋକିଲା ପେଟର ଯନ୍ତ୍ରଣାକୁ କେବେ
ଅନୁଭବି ପାରିଛକି ।
କେବେ କାହା ସ୍ୱପ୍ନ ପୂରଣ କରିଛ
ନିଜ ସ୍ୱପ୍ନ ତ୍ୟାଗକରି,
ଜୀବନ ଯୁଦ୍ଧରେ ଜିତାଇଛ କାରେ
ନିଜ ଜୀବନକୁ ହାରି ।
ନିଜର ଜନ୍ମକୁ ସାର୍ଥକ କରିଛ
କାହା ଦୁଃଖ ଦୁରକରି,
ସମାଜେ ଅସଂଖ୍ୟ ଦୁଃଖୀ ଅସହାୟ
ନିର୍ଯ୍ୟାତିତ ନରନାରୀ ।
କେବେ ବଣମଲ୍ଲୀ ତୋଳିଆଣୀ ଥରେ
ଦେଇଛକି ପରିଚୟ,
ଦୁଃଖ ଜର୍ଜରିତ ସନ୍ତପ୍ତ ଜନଙ୍କୁ
ଦେଇଛ ଅବା ଅଭୟ ।
କେଉଁ କର୍ମ ପାଇଁ ବୋଲାଅ ମହାନ
ହୃଦରେ ଛଳନା ଭରି,
ସହସ୍ର ସପନ ଭାଙ୍ଗ ପ୍ରତିଦିନ
କ୍ଷମତାକୁ ଆଳ କରି ।
ତୁମେ ବିତାଉଛ ସୌଖିନ ଜୀବନ
ସ୍ୱପ୍ନରେ ହୋଇ ମଗନ,
ଛିଣ୍ଡା କନା କାରେ ମିଳେନା କାହାକୁ
ଦେଇଛ କି କେବେ ଦାନ ।
ମଣିଷ ପଣିଆ ହଜିତ ଗଲାଣି
ସ୍ୱାର୍ଥପାଇଁ ଅନ୍ଧ ହୋଇ,
ମିଥ୍ୟା ପ୍ରତିଶ୍ରୁତି ପ୍ରତାରଣା ଭରି
ସମାଜେ ପରସ କାହିଁ ।