ଅଙ୍କୁରୋଦ୍ଗମ
ଅଙ୍କୁରୋଦ୍ଗମ
କର୍ମକ୍ଲାନ୍ତ ଦିବସର ଅନ୍ତିମ ପ୍ରହରରେ
ଆଜି ପୁଣି ମୁଁ ଆଉ ମୋ ଡ଼ାଏରୀ,
ମୁହଁ ହାତ ଧୋଇ
ବସିପଡ଼ିଲୁ କଥା ପେଡ଼ୀ ଖୋଲି ।
ବହୁତ ଦିନ ତଳେ
ଆମ୍ବ ଖାଇ ତା' ମଞ୍ଜି
ପୋତା ହୋଇଥିଲା ବାଡ଼ିରେ,
ଆଜି ସେଠି ,ଆବିଷ୍କୃତ ହେଲା ,
ଗୋଟେ ସୁନ୍ଦର ଚାରା ଗଛ ।
ପଥୁରିଆ ମାଟିର
ପଥର ଚଟ୍ଟାଣକୁ ଭେଦି ,
ପ୍ରସ୍ତୁତ ସେ ,
ନିଜର ଅସ୍ତିତ୍ଵ ଜାହିର୍ କରିବାକୁ ।
ଠିକ୍ ଯେମିତି ,
ସବୁ ପ୍ରତିକୂଳତାକୁ ଅତିକ୍ରମ କରି
ମୋ ମନର ଅକୁହା ଶବ୍ଦାବଳୀ ,
ନିଜର ଶକ୍ତି ପ୍ରଦର୍ଶନ କରନ୍ତି ,
ସେ ନିର୍ଜୀବ ଡ଼ାଏରୀର ପୃଷ୍ଠା ଉପରେ ।
ମୁଁ ତ ଦିନେ ବି ,
ପାଣି ଟୋପେ ପକେଇ ନ ଥିଲି
ସେ ବୀଜ ମୂଳରେ ,
ବୋଧହୁଏ ଦୃଢ ଇଚ୍ଛା ଶକ୍ତି ବଳରେ ,
ଆଜି ଜୀବିତ ସେ,
ଦେଖିବାକୁ ଖୁବ୍ ସୁଂଦର ।
କଅଁଳ ଛନଛନିଆ ଦୁଇଟି ପତ୍ର,
ମୋତେ ଦେଖି କରୁଛନ୍ତି ଅଟ୍ଟହାସ୍ୟ ,
ମୋ ପାରିବାପଣକୁ ନେଇ
କରୁଛନ୍ତି ବିଦ୍ରୁପ ,
ଯଦି ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲାଇ ,
ଗୋଟେ ବୀଜର ଯତ୍ନ ବି,
ଅସମ୍ଭବ ମୋ ଦ୍ଵାରା ,
ତେବେ କ'ଣ ଲାଭ ସେ ଶ୍ରେଷ୍ଠତ୍ୱର !
ଆଜି ଦିନର ଏତେ ସବୁ କଥା
ଡ଼ାଏରୀ କାନରେ
ବଖାଣିବା ପରେ,
ଇତସ୍ତତଃ ଉଡୁଥିବା ଖାଲି ପୃଷ୍ଠା ସବୁ,
କହୁଛନ୍ତି ମୋ କାନରେ ।
ଆଜି ପରିବେଶ ଦିବସରେ
କେବଳ ସେ ବୀଜଟିର ଯେ,
ଅଙ୍କୁରୋଦ୍ଗମ ଘଟିଛି,
ତାହା ନୁହେଁ,
ମୋ' ଭିତରେ ବି ଧିରେ ଧିରେ
ନିଜର କାୟା ବିସ୍ତାର କରୁଛି
ଏକ ନୂଆ ମାନବତ୍ଵର ବୀଜ ।