ଅମୃତ ଫଳ
ଅମୃତ ଫଳ
ସଂସାର ଉପବନ ର ଦୁଇଟି କଳିକା
ଜଣେ ନର ଜଣେ ନାରୀ,
ଜଣକର ଆଗମନ ଭରିଦିଏ ହର୍ଷଉଲ୍ଲାସ,
ହତାଶା ର କଳାମେଘ ଉଠେ ଅନ୍ୟ ପାଇଁ,
ଏକ ପାଇଁ ଜୀବନ ର ଗତିପଥ ଅତୀବ ସରଳ,
ଅନ୍ୟ ପାଇଁ କଟକଣା, କଣ୍ଟକିତ ପଥ |
ଜଣକର ଯାତ୍ରା ପାଇଁ ସବୁଜ ସଂକେତ,
ଲକ୍ଷ୍ମଣ ର ତିନିରେଖା ଅଙ୍କା ଅନ୍ୟ ପାଇଁ |
ଏକଇ ସ୍ରଷ୍ଟା ର ସୃଷ୍ଟି
ସେ ଦୁଇ ଅମୃତ ଫଳ
ନିଜ ସ୍ୱାର୍ଥ ପାଇଁ, ଏ ସମାଜ
ଲଗାଇଛି ନିଷିଦ୍ଧ ମୋହର
କେହି କେବେ କହିବାର ଶୁଣାନାହିଁ
ରାମ ପାଇଁ ରାମାୟଣ, ଅବା ମହାଭାରତ ପାଣ୍ଡବ ଙ୍କ ପାଇଁ
ଯୁଗେ ଯୁଗେ ସୀତା ଓ ଦ୍ରୌପଦୀ
କାରଣ ଏ ଦୁଇ ମହା ଜାଗତିକ ଘଟଣା ର |
ଯେତେ ନିନ୍ଦା ଅପବାଦ ସହିବା ତା ଧର୍ମ
ପୋଡା ସଳିତା ଯାହାର ଜୀବନ
ଯାହା ପାଇଁ ଶୁନ୍ୟତା ର ଅନ୍ୟନାମ ପ୍ରେମ
ସେ ନାରୀ ମାତୃରୂପା, ବିଶ୍ଵରୂପା
କାତ୍ୟାୟନୀ ପୁଣି କମଳିନୀ ସ୍ୱରୂପା...||
