ଅମୀୟ ଧାରା
ଅମୀୟ ଧାରା
ଉଇଁଚି ଆକାଶେ
ପୂର୍ଣ୍ଣିମା ଇନ୍ଦୁ
ବରଷି ଅମୀୟ ଧାରା
ମୋ ମନ ଆକାଶେ
ଉଇଁଚୁ ତୁ ରାଣୀ
ଖେଳାଇ ବେପଥୁ ତାରା ।
ତାରାଫୁଲ ଶେଯେ
ସୁକୁମାରୀ ଶଶୀ
ରଚିଛି ଶାଶ୍ୱତ ରାସ
ଆକାଶ ଗଂଗାର
ରୂପେଲି ମୁକୁରେ
ଫୁଟିଛି ଅଦେଖା ହସ ।
ଜହ୍ନ ଦେଇଛି
ଅଦେଖାର ପାଦେ
ବିକି ତାର ମନହୀରା
ଉଇଁଚି ଆକାଶେ
ପୂର୍ଣ୍ଣିମା ଇନ୍ଦୁ
ବରଷି ଅମୀୟ ଧାରା ।
ମୋ ମନ ଯମୁନା
ଜଳରେ ରାଣୀ ଗୋ
ଫୁଟିଛି ତୋ ରୂପଇନ୍ଦୁ
ଭଉଁରି ଗୋ ତୁମେ
ଥିର ହୋଇଯା
ମୁଁ ଚୁମ୍ୱିବି ସୁଧାବିନ୍ଦୁ ।
ଆକାଶ କୁଞ୍ଜରେ
ପୂର୍ଣ୍ଣିମା ରାସ
ଝରି ବହୁଛି
ମୋ ମନ ଆକାଶ ସାରା
ଉଇଁଚି ଆକାଶେ
ପୂର୍ଣ୍ଣିମା ଇନ୍ଦୁ
ବରଷି ଅମୀୟ ଧାରା ।
