STORYMIRROR

Biswanath Nayak

Tragedy

3  

Biswanath Nayak

Tragedy

ଅଲୋଡ଼ା

ଅଲୋଡ଼ା

1 min
114


ଶୀର୍ଣ୍ଣ ଶରୀର ଜୀର୍ଣ୍ଣ ବସନ

ଧବଳ କେଶରାଶି। 

ଆକାଶକୁ ଚାହିଁ ଉଦାସେ ଭାବଇ

ବିଧବା ମାଆଟା ବସି। 

ଆସିଥିଲା ଦିନେ ନୂଆ ବୋହୂ ସାଜି

ସିନ୍ଥିରେ ନାଇ ସିନ୍ଦୁର। 

ସବାରୀରେ ବସି ପତି ହାତଧରି

ଗଢିବାକୁ ନିଜ ଘର। 

ଘରର ଅଗଣା ହେଉଥିଲା ନାଲି

ତା ପାଦ ଅଳତା ଗାରେ। 

ଗଛଲତା ସବୁ ଡେରୁଥିଲେ କାନ

ତା ପାଦ ନୂପୁର ସ୍ଵରେ। 

ସୁନାଚଟୁ ଧରି ସବୁରି ଥାଳିରେ

ପରଶୁଥିଲା ଆଦର। 

ତା ଟିକି ରାଜ୍ୟର ରାଣୀ ଥିଲା ସିଏ

ବସି ସ୍ଵାମୀ ହୃଦୟର।  

ତା ସାମ୍ରାଜ୍ୟ ଆଗେ ଏହି ସାରା ବିଶ୍ଵ

ଲାଗୁଥିଲା ତାକୁ ଛୋଟ। 

ହସ ଖୁସିରେ ସେ ରହିଥିଲା ବୁଡି

ନଥିଲା ଛନ୍ଦ କପଟ। 

ରଜ ପୋଡପିଠା ଆଉ ଖିଲିପାନ

ସଙ୍ଗେ ବାଣ୍ଟୁଥିଲା ହସ। 

ତିନୋଟି ପୁଅଙ୍କ ହସେ ତା କୁଡିଆ

ହେଲା ଚନ୍ଦନ ଉଆସ। 

ତା ବିନା ଇଙ୍ଗିତେ ହଲୁତ ନଥିଲା

ଏଘରେ ଏକ ପତର। 

ବୋହୂମାନେ ଆସି କରିଲେ ଆଦର

ସେବା କରି ପାଦ ତାର। 

ଅଦିନିଆ ଝଡ ସାରିଦେଲା ସବୁ

ସ୍ଵାମୀ ତାର ଗଲେ ଚାଲି। 

ଉଜୁଡି ଗଲା ତା ସଜଡା ସଂସାର

ଆଗେ ନିରାଶାର ବାଲି। 

ଝାଡୁମୁଠା ପରି ଗୋଟିଏ କୋଣରେ

ରହିଛି ସେ ଆଜି ପଡି। 

ତିନି ପୁଅ ତାର ତିନି ପାଳି କରି

ଦେଉଛନ୍ତି ତାକୁ ପଡି।  

ବାପାର ସମ୍ପତି ବାଣ୍ଟିନେଲା ପରି

ତାକୁ ବାଣ୍ଟିଦେଲେ ପୁଏ ।

ଅଲୋଡ଼ା ଦରବ ପରି ସିଏ ଆଜି

ଏଘରୁ ସେଘର ହୁଏ। 

ଆଖିତଳେ ଲୁହ ମନତଳେ କୋହ

ତଥାପି କରେ କଲ୍ୟାଣ। 

ପିଲାମାନେ ତାର ସୁଖରେ ରହନ୍ତୁ

ନପଡୁ କିଛି କଷଣ। 

ଏହି କଇଲାଣ ଲକ୍ଷେ ରାଜା ଧନ

ଏକଥା ବୁଝେନା ପୁଅ। 

କଲ୍ୟାଣ ବଦଳେ ଭେଟି ଦିଏ ତାକୁ

ଆଖିରେ ଆଖିଏ ଲୁହ। 

ତିନି ପୁଅଙ୍କର ମାଆ ବୋଲି ଦିନେ

ଗର୍ବ କରୁଥିଲା ଯିଏ। 

ହାୟ! ରେ ନିୟତି ଏ ସାରା ସଂସାରେ

ସବୁଠୁ ଅଲୋଡ଼ା ସିଏ। 

ସବୁଠୁ ଅଲୋଡ଼ା ସିଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy