ଅକ୍ଷୟତୃତୀୟା
ଅକ୍ଷୟତୃତୀୟା
ବୈଶାଖ ମାସେ ରୌଦ୍ରତାପେ,
ମହିମଣ୍ଡଳ ତ୍ରାହି ତ୍ରାହି ଜପେ !!
ଦିନ ଏହି ଶୁକ୍ଳପକ୍ଷେ ତୃତୀୟା ଦିବସେ
ନାଚେ ଚାଷୀକୂଳ ମନ ଆନନ୍ଦ ଉଲ୍ଲାସେ ।
ଅକ୍ଷୟତୃତୀୟାର ଏହି ପବିତ୍ର ଦିନ
ପ୍ରକୃତି ମା ନେଇ ଆସିଛି ଚାଷକାମର ଶୁଭଲଗନ ।।
ଶୁଭ୍ର ବସ୍ତ୍ର ପରିହିତ ଚାଷୀ ଭାଇଟି ମୋର,
ମଥାକୁ ସଜେଇ ଦେଇଛି ବାନ୍ଧି ଶିରପା ତା' ର !!
ଛାୟାରମଣଙ୍କ ଉଦିତେ ଚଷାପୁଅ ଉଠି ସଂକଳ୍ପ କରେ,
ଦେଇ ହଳ ଲଙ୍ଗଳେ ଫୁଲ ସିନ୍ଦୂର କାନ୍ଧରେ ଧରେ !
ଅନୁକୂଳ ଦେଲା ଆଜିଠୁ ଯୋଗାଡ଼ିଵ ସଂସାରର ଆହାର
ଆଃ ହା କି ମନଲୋଭା ପରିପାଟୀଟି ତା'ର।।
ହୃଦୟବଲ୍ଲଭା ସଜାଇଛି ଚନ୍ଦନଚିତାରେ ବେତ ଟୋକେଇ,
ଗୌଣିଟିକୁ ଭରିଦେଇଛି ପ୍ରାଣସାର ଅକ୍ଷ ମୁଠି ଥୋଇ !!
କୁଙ୍କୁମ ହଳଦୀ ଧାନରେ ଲେପି ଘିଅ ଦୀପ ପ୍ରଜ୍ୱଳିଛି ,
ସତେ କି ମା ଲକ୍ଷ୍ମୀ ଭୁଜ ଦ୍ବୟ ବଢ଼ାଇଛି !
ଅକ୍ଷୟ ଲବ୍ଧ ଧାନ କ୍ଷେତେ କରିବ ବପନ,
ସୁମରି ମନେ ସୁନ୍ଦର ଶସ୍ୟପ୍ରାପ୍ତିର ଆଗମନ ।।
ଚାତକ ନୟନେ ଦାଣ୍ଡଦୁଆରେ ବସିଛି ପ୍ରାଣପ୍ରୀୟା ତାର,
ହୁଳହୁଳି ଦେଇ ପାଛୋଟି ନେବ କରି ଜୟ ଜୟକାର !
ଆହେ ଜଗତରନାଥ କାଳିଆସାଆନ୍ତ,
ଘଣ୍ଟ ଘୋଡେ଼ଇ କର ଚାଷୀକୁଳ ଉଦ୍ଧରଣ !!
ଜୀବନ ପଥ ହେଉରେ ପ୍ରଶସ୍ତ,
ଅପସରି ଯାଉ ଦାନବରୁପି ଋଣ !
ଅମୂଲ୍ୟ ଜୀବନ ନ ହେଉ କ୍ଷୟ,
ଦିଅ ପ୍ରଭୁ ଏତିକି ବରାଭୟ !!
ଅକ୍ଷୟ ହେଉ ପୁଣ୍ୟ ଜଗତେ ଧର୍ମର ହେଉ ଜୟ।।
