ଅଗ୍ନୁତ୍ସବ
ଅଗ୍ନୁତ୍ସବ
ଏ ଜଗତ ଗଢ଼ା ପଞ୍ଚ ମହାଭୂତେ
ଅଗ୍ନି ଏକ ଉପାଦାନ
ଜନ୍ମରୁ ଜୀବନ ମରଣ ପର୍ଯ୍ୟନ୍ତ
ଅଗ୍ନି ଙ୍କର ଅବସ୍ଥାନ ।
ଉତ୍କଳୀୟ ଧର୍ମ ଧାରାଟି ଅପୂର୍ବ
ପର୍ବ ପର୍ବାଣୀରେ ଭରା
ପରବ କୁହଇ କେତେ ତତ୍ତ୍ଵ କଥା
ଅପୂର୍ବ ମାଦକ ଭରା ।
ଅଗ୍ନି ଉତ୍ସବଟି ଆସିଛି ସତେ କି
ଶୀତକୁ ବିଦାୟ ଦେଇ
କୃଷି ଭିତ୍ତିକ ଏ ପରଵ ଆମର
ତତ୍ତ୍ଵ ଯାଏ ପରଶଇ ।
ଅମଳ ସରିଲା କୃଷକ ଆନନ୍ଦ
ଅଗ୍ନି ଉତ୍ସବ ପାଳଇ
ଗାଁ ଶେଷ ମୁଣ୍ଡେ କାଠି କୁଟା ଦେଇ
ଅଗ୍ନି ଉତ୍ସବ ପାଳଇ ।
ଗୋମୟରେ ଲିପି ଗ୍ରାମ୍ୟ ଝିଅ ବୋହୂ
ଚିତା ମୁରୂଜ ପକାନ୍ତି
ଅଗ୍ନି ମଧ୍ୟେ ଶସ୍ୟ ପନି ପରିବା କୁ
ଅର୍ପଣ ଯେ କରିଥାନ୍ତି ।
ଘଣ୍ଟ ଘଣ୍ଟା ଧ୍ଵନୀ ମନ୍ତ୍ର ପାଠ ରେ ଯେ
ଗାଁ ପ୍ରକମ୍ପିତ ହୁଏ
ପୋଡା ପରିବା ଓ ନଡ଼ିଆକୁ ସର୍ବେ
ପାଇଥାନ୍ତି ଯେ ପ୍ରସାଦେ ।
କୃଷକର ଶ୍ରମ ଲାଘବ ହୁଅଇ
ଉତ୍ସବ ମୁଖର ଗ୍ରାମ
ଅଗ୍ନି ଦେବ ଶିଖାକୁ ଦେଖି ଯେ
କୃଷକ ଦେଖେ ଆଗମ ।
ବିଶ୍ୱାସ ତାହାକୁ ଆଶ୍ୱାସ ଦିଅଇ
ପାଉଁଶ ସଂଗ୍ରହ କରେ
କ୍ଷେତରେ ପକାଇ ଭଲ ଫସଲର
ସପନ ଯେ ଦେଖୁ ଥାଏ ।
ପାଉଁଶରେ ରୋଗ ପୋକ ନିବାରଣ
ଏ ବାର୍ତ୍ତ। ବି ତାକୁ ମିଳେ
କ୍ଷେତକୁ ପାଉଁଶ ଉପଯୋଗୀତାର
କଥାଟି ବଖାଣୁ ଥାଏ ।
ପୁରାଣ ବି କୁହେ ଏ ଦିନ ମହତ୍ତ୍ୱ
ହୋଲିକା ଦହନ କଥା
ଅଧର୍ମ ଉପରେ ଧରମର ଜୟ
ଗାଏ ଭକତିର ଗାଥା ।
ଜୀବନ ସଙ୍ଗରେ ଅଗ୍ନି ଯେ ଜଡିତ
ବିଭିନ୍ନ ଅଗ୍ନି ରେ ଗଢ଼ା
ଅଗ୍ନି ଦେବଙ୍କର ଆରାଧନା ପରା
ଏ ଅଗ୍ନି ଉତ୍ସବ ପରା ।
ମାଘ ମାସ ଶୁକ୍ଳ ପୂର୍ଣ୍ଣମା ତିଥିରେ
ହୋଇଥାଏ ଏ ଉତ୍ସବ
ଶ୍ରୀମନ୍ଦିରେ ପ୍ରଭୁ ଶ୍ରୀଦେବୀ ଭୂଦେବୀ
ସଙ୍ଗେ ପାଳନ୍ତି ପରବ ।
ଅଗ୍ନି ଉତ୍ସବରେ ଅଗ୍ନି ଦେବତାଙ୍କୁ
କରିବା ଯେ ନିବେଦନ
ଜଳି ଯାଉ ହିଁସା , ଦ୍ୱେଷ କୁଭାବନା
ଧର୍ମର ହେଉ ସ୍ଥାପନ ।
ମଣିଷ ମନରୁ ଉପଶମ ହେଉ
କୁ କର୍ମ ଭାବନା ଅଗ୍ନି
ହୋମାଗ୍ନିରେ ନର ହେଉ ଯେ ପବିତ୍ର
ବିଶ୍ଵେ ବିରାଜୁ ଯେ ଶାନ୍ତି ।
