ଅଗ୍ନିର ଜନ୍ମକଥା
ଅଗ୍ନିର ଜନ୍ମକଥା
ଶୁଣ ସୁଧୀ ମନଦେଇ ଏ ପୁରୁଣା ଗାଥା l
ଅଗ୍ନି ଉତ୍ସବରେ ଆଜି ଅଗ୍ନି ଜନ୍ମ କଥା ll
ଆଦିମ ମଣିଷ ଥିଲା ଗିରି ଗୁହା ବାସୀ l
ଖାଦ୍ୟ ଅରଣ୍ୟର ଫଳମୂଳ ପିତା କଷି ll
କଞ୍ଚା ମାଂସ ଖାଏ ବଧି ପଶୁ ପକ୍ଷୀଙ୍କର l
ଅସ୍ତ୍ରଥିଲା ତାର ଲାଠିଠେଙ୍ଗା ଓ ପଥର ll
ଏକ ଦିନେ ଜଙ୍ଗଲରେ ମାରିଲା ବିଜୁଳି l
ବୃକ୍ଷ ଲତା ଗଲେ ସବୁ ହୁତ ହୁତ ଜଳି ll
ମରିପଡ଼ିଥିଲେ ଜଳି କେତେ ପଶୁ ପକ୍ଷୀ l
ମଣିଷ ପାଇଲା ସ୍ୱାଦ ସିଝାମାଂସ ଭକ୍ଷୀ ll
ପାଇଲା ସେ ଦିନ ସିଏ ଅଗ୍ନିର ସନ୍ଧାନ l
ଅଗ୍ନି ଉପୁଜଇ ହୋଇ କାଷ୍ଠର ଘର୍ଷଣ ll
ବୁଝିଲା ତହୁଁ ସେ ଧୀରେ ଅଗ୍ନିର କ୍ଷମତା l
ପୂଜିଲା ଏ ଅଗ୍ନି ନିଶ୍ଚେ ଅଟନ୍ତି ଦେବତା ll
ସର୍ବେ ଜାଣି ଥିବ ଭାଇ ଅଗ୍ନିର ଶକତି l
ଅଗ୍ନି ବିସ୍ଫୋରଣୁ ହେଲା ବିଶ୍ୱର ଉତ୍ପତ୍ତି ll
ଆୟତ୍ତରେ ଥିଲେ ଅଗ୍ନି ସେବକ ଉତ୍ତମ l
ନୋହିଲେ ବିଶ୍ୱ କରଇ ନିମିଷକେ ଭଷ୍ଣ ll
ଅଗ୍ନି ସତ୍ୟ, ସନାତନ, ତହିଁ ଶକ୍ତି ଥାଇ l
ଅଗ୍ନି ହୁତାଶନ, ବୈଶ୍ୱାନର ସର୍ଵ ଖାଇ ll
ଅଗ୍ନି ସାକ୍ଷୀରଖି ରାମ ସୁଗ୍ରୀ କଲେ ସଖା ll
ଲାଙ୍ଗୁଳଅଗ୍ନିରେ ହନୁ ଜଳାଇଲେ ଲଙ୍କା ll
ଅଗ୍ନିଙ୍କୁ ପୂଜେ ମନୁଷ୍ୟ ଭକତିରେ ଅତି l
ଅଗ୍ନିଦେବ ନିରଞ୍ଜନ ପରଂବ୍ରହ୍ମ ଜ୍ୟୋତି ll
ଅଖଣ୍ଡ ଦୀପ ଅର୍ଘ୍ୟରେ ପୁଜେ ଭଗବାନ l
ନମଃ ପରଂବ୍ରହ୍ମ ନମଃ ସତ୍ୟ ସନାତନ ll
