ଅଦୃଶ୍ୟ ଶିଳ୍ପୀ
ଅଦୃଶ୍ୟ ଶିଳ୍ପୀ
କି ସୁନ୍ଦର ଆହା କି ବିଚିତ୍ରମୟ
ଏହି ବିଶାଳ ସଂସାର ।
ଭାନୁ ଶଶୀ ତାରା ଗ୍ରହ ନକ୍ଷତ୍ରରେ
ଆକାଶ ଶୋଭା ଅପାର ।।୧।।
ଚତୁଃପାର୍ଶ୍ବେ ତାର ଘେରି ରହିଛନ୍ତି
ବାୟୁ ଅଗ୍ନି ଆଉ ଜଳ ।
ପରସ୍ପର କେହି ସୀମା ଲଘଂନ୍ତିନି
ଥିଲେ ବି ପ୍ରଚଣ୍ଡ ବଳ ।।୨।।
ଗିରି କାନନରେ ସୁଶୋଭିତ ମହୀ
ଦିଶଇ କେଡେ ସୁନ୍ଦର ।
ଅଗଣିତ ତରୁ ଲତା ଗୁଳ୍ମ ତୃଣ
ସବୁଜ ଡାଳ ପତର ।।୩।।
ଝର ଝର ଶବ୍ଦେ ବହେ ନିର୍ଝରିଣୀ
କାନନ ଶଇଳ ବୁକେ ।
କଳ କଳ ନାଦେ ତଟିନୀ ସମୂହ
ଧାବନ୍ତି ସାଗର ମୁଖେ ।।୪।।
ନାନାଜାତି ପୁଷ୍ପେ ପ୍ରସ୍ଫୁଟିତ ଧରା
ଦିଶେ ଭାରି ଶୋଭାବନ ।
ବାସନା ମହକେ ବାୟୁ ହିଲ୍ଲୋଳରେ
ଝଲସାଏ ତନୁମନ ।।୫।।
ଋତୁ ଆବର୍ତ୍ତନେ ଷଡଋତୁଗଣ
ଏକ ପରେ ଆସେ ଆନ ।
ଗ୍ରୀଷ୍ମ ବର୍ଷା ଶୀତ ବସନ୍ତ ଚାରିହେଁ
ଦେଖାନ୍ତି ତାଙ୍କ ପ୍ରାଧାନ୍ୟ ।।୬।।
ଧରାଗର୍ଭେ ପୂର୍ଣ୍ଣ ରହିଛି ସାଇତା
ଧାତୁରତ୍ନ ମୂଲ୍ୟବାନ ।
ତାର ଉପଯୋଗେ ମଣିଷର ବଢେ
ଜୀବନଧାରଣ ମାନ ।।୭।।
ଚାରିଖାନି ଜୀବ ସୃଷ୍ଟି ହୋଇଛନ୍ତି
ଭ୍ରମନ୍ତି ଯେ ଯାହା ସୁଖେ ।
ସେମାନଙ୍କ ମଧ୍ୟୁ କିଏ ବା କାହାର
ଆହାର ହୁଅନ୍ତି ମୁଖେ ।।୮।।
ସବୁଠାରୁ ଶ୍ରେଷ୍ଠ ମାନବର ଜନ୍ମ
ଶିଳ୍ପୀର ଅଟଇ ସୃଷ୍ଟି ।
ଶିଳ୍ପୀକୁ ପ୍ରକାଶ କରିବାର ପାଇଁ
ମାନବର ଦିବ୍ୟଦୃଷ୍ଟି ।।୯।।
ଅଦ୍ଭୁତ ସେ ଶିଳ୍ପୀ ନିଖୁଣ ସର୍ଜନା
କରିଛି ଯତନେ ଅତି ।
କେତେ କାରିଗର ନିୟୋଜିତ ଥିଲେ
ଚିନ୍ତିଲେ ଘୁରଇ ମତି ।।୧୦।।
କେତେବର୍ଷ ତାକୁ ଲାଗିଛି ନିର୍ମାଣ
ତିଆରିବାକୁ ଏ ଧରା ।
କେଉଁ ପଦାର୍ଥରେ ତିଆରିଛି ତାକୁ
ଲାଗଇ ବିସ୍ମୟ ପରା ।।୧୧।।
କଳା ଚାତୁର୍ଯ୍ୟର ସର୍ବଶ୍ରେଷ୍ଠ ଶିଳ୍ପୀ
ଦଣ୍ଡବତ କରେ ତୋତେ ।
କାରିଗରଟିଏ ହେବି ତୋର ପାଶେ
ମଜୁରୀ ନ ଦେ ତୁ ମୋତେ ।।୧୨।।