STORYMIRROR

Krushna Chandra Lenka

Tragedy

4  

Krushna Chandra Lenka

Tragedy

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
282

ବରଷକେ ଥରେ ଏ' ଷଡ ଋତୁରେ

   ଆସଇ ବରଷା କାଳ,

ଆଷାଢ଼ ଶ୍ରାବଣେ କୋଣ ଅନୁକୋଣେ

  ଆକାଶୁ ପଡଇ ଜଳ।

ସେପାଇଁ ଅବନୀ ତୋଷ ହୁଏ ଜାଣି

   ଏଇ ଦୁଇ ମାସ କାଳେ,

ତରୁ,ପ୍ରାଣୀ, ନର  ପାଇ ବୁନ୍ଦେ ନୀର

  ସୁଖେ ଥା'ନ୍ତି ମହୀ କୋଳେ

ସେ ବରଷା କାଳେ ତତେ ନେଇ ତିଳେ

   ଦେଖେ କେତେ କେ' ସପନ,

ତୋର ଆଗମନେ ଅନ୍ନଦାତାଗଣ

    ହୁଅନ୍ତି କର୍ମେ ମଗନ।

ଯେବେ ତୁ ଅଦିନେ ଆସୁ ଏ ଭୁବନେ

    ନଦେଇ ବାରତା ତିଳେ,

ସେକାଳେ ଜନତା ପାଏ କେତେ ବ୍ୟଥା

    ଏଇ ମାଟି ମାଆ କୋଳେ।

ତୋର ଇଛା ମତେ ତୁ ଆସି ଜଗତେ

   ସୁଖେ ଭ୍ରମି ଥାଉ ଯେତେ,

ତୁ କାହୁଁ ବୁଝିବୁ  ଚଷାର ବେଦନା

  ପାଏ କ୍ଳେଶ ସେତ କେତେ?

ସକଳ ଋତୁର ଥିଲୁ ତୁହି ସାର

  ଏ ମର୍ତ୍ତ୍ୟମଣ୍ଡଳେ ପରା,

ଏବେ ତୁହି କାହିଁ ଅଦିନରେ ଧାଇଁ

  କ୍ଷୟ କରୁ ବିଶ୍ୱ ସାରା।

ତୋର ପ୍ରେମେ ଦିନେ ଏଇ ଧରା ଜନେ

   ହେଉଥିଲେ କେତେ ବାଇ,

ଏବେ ତୁ ଅଦିନେ ଆସି ଏ ଭୁବନେ

   ନିନ୍ଦା ଶୁଣୁ କାହିଁ ପାଇଁ!

ଯେବେ ତୁ ଅକାଳେ  ଆସୁ ଏଠି ତିଳେ

    ପିଲା ସିନା ହ୍ୱନ୍ତି ଖୁସି,

ମାତ୍ର ସେଇ କାଳେ  ଏ' ମହୀମଣ୍ଡଳେ

  ଚଷା ହୁଏ ଦୁଃଖୀ ବେଶୀ।

ଖରା, ବର୍ଷା, ହିମେ ପଡି ତାର ଭୂମେ

   କରିଥିଲା ଯେତେ ଶ୍ରମ,

ସହସା ତୁ ଆସି ତା' କ୍ଷେତେ ପ୍ରବେଶି

  ହେଲୁ ଏକ କାଳଯମ।

ଜଗତେ ଆହାର ଯୋଗାଏ ଯେ' ନର

   ସେ ଆଜି କାନ୍ଦୁଚି ବିଶ୍ୱେ,

ତା' ଅନ୍ତର କୋହ  ବହେ ହୋଇ ଲୁହ

   ସାହା ନାହିଁ କେ' ତା ପାଶେ।

ଅତି ଦୁଃଖେ ଯା'ର  ଚଳଇ ସଂସାର

   ବରଷକ ବାର ମାସ,

ତାର ପରେ ଦାଉ  ତୁ କାହିଁ ସାଧଉ

    କରି ତା' ସରବ ନାଶ।

କାହିଁ ତୁହି ଧନ ବଳାଉ ତୋ ମନ

   ଅଦିନ ଭ୍ରମଣ ପାଇଁ,

ତୋର ଏଇ ଖେଳ ଚଷା ପାଇଁ କାଳ

   ତୁ ଅବା ବୁଝିବୁ କାହିଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy