STORYMIRROR

Jayashree Maharana

Romance

3  

Jayashree Maharana

Romance

ଅଧୁରା ସପନ ସ୍ମୃତି

ଅଧୁରା ସପନ ସ୍ମୃତି

1 min
264

ଶୀତ କି ବୁଝଇ ଯୌବନ ଆଛନ୍ନ ମନର ଗହନ କଥା

ନିଃସ୍ତବ୍ଧ ନିଶିରେ ନିଃଶବ୍ଦରେ ଆସି ଦେଇଯାଏ ଖାଲି ବ୍ୟଥା

ସୁପ୍ତ ତନୁରେ ତା' ଶୀତଳ ଲହରୀ ଭରିଦିଏ ଶିହରଣ

ପ୍ରୀତିର ଦହନ ଜାଳିଦିଏ ମନ ନିଃସଙ୍ଗ ହୃଦୟ ପ୍ରାଣ ।


କଳ୍ପନାବିଳାସୀ ମୁଦ୍ରିତ ନୟନେ ଉଙ୍କିମାରେ ମିଠା ସ୍ୱପ୍ନ

ସାଥି ଉଭା ପାଶେ ଦୁହିଁଙ୍କ ହୃଦୟେ କି ଅପୂର୍ବ ଆଲୋଡନ

ମନ ଅଗଣାରେ ପ୍ରୀତିର ପୁରବୀ ଖେଳୁଥାଏ ଉଲ୍ଲାସରେ

ଓଠେ ଆଶ୍ଳେଷର ଉନ୍ମାଦନା ତୃଷ୍ଣା ଛନ୍ଦ ତୋଳୁଥାଏ ଧୀରେ ।


ଭାବର ଝରଣା ଭଗ୍ନ କରୁଥାଏ ଦୁହିଁଙ୍କର ନିରବତା

ବନ୍ଧନର ସ୍ପୃହା ବନ୍ଧବାଡ଼ ଡେଇଁ ଆଣୁଥାଏ ନିବିଡ଼ତା

ଭିଜୁଥାଏ ରାତି କାକର ସ୍ପର୍ଶରେ ବଢୁଥାଏ ପ୍ରୀତି ନିଶା

ଲେଖୁଥାଏ ଗୀତି ନିର୍ଜନ ବେଳାରେ ଅଭିସାର ପାଇଁ ଆଶା ।



ପୁଲକ ବିଛାଇ ଶୀତକୁ ଜଡାଇ ପାହିଗଲା ସିନା ରାତି

ନିଇତି ବିଭୋର କରୁଅଛି ମୋତେ ଅଧୁରା ସପନ ସ୍ମୃତି ।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance