ଅଧର ପଣା ବିଧାନ
ଅଧର ପଣା ବିଧାନ
ଦେବସ୍ନାନ ପୂର୍ଣ୍ଣିମା ଠୁ ଶ୍ରୀଗୁଣ୍ଡିଚା
ଯାତ୍ରା ଉତ୍ସବ ପଥରେ
ନୀଳାଦ୍ରି ବିଜେ ହିଁ ଅନ୍ତିମ ପର୍ଯ୍ୟାୟ
ଭବ୍ୟ ବିଧି ବିଧାନରେ
ଦେବତା,ଯକ୍ଷ ଓ ଗନ୍ଧର୍ବ କୃତାର୍ଥ
ଦେବ ସ୍ନାନ ପୂର୍ଣ୍ଣମୀରେ
ପ୍ରଭୁଙ୍କ ଦର୍ଶନ କରିବା ସୌଭାଗ୍ୟ
ପ୍ରାପ୍ତ ହୁଅନ୍ତି ଅଚିରେ
ମନୁଷ୍ୟ ସହ ପଶୁ ଯୋନି ଜନ୍ମିତ
ସକଳ ପ୍ରାଣୀ ନିମନ୍ତେ
ପତିତ ଉଦ୍ଧାର ଅର୍ଥେ ରଥାରୂଢ଼
ନିର୍ଦ୍ଧାରିତ ବିଧି ମତେ
ଶ୍ରୀଜୀଉ ଅଧରେ ପଣା ହାଣ୍ଡି ସ୍ପର୍ଶ
ଯାତ୍ରାର ଶେଷ ଭାଗରେ
ଅଶରୀରୀ ଓ ପ୍ରେତ-ମାନଙ୍କ ଶାନ୍ତି
ଅଧର ପଣା ଭୋଗରେ ।
ଆଷାଢ଼ର ଶୁକ୍ଳ ଦ୍ଵାଦଶୀ ତିଥିରେ
ଅଧର ପଣା ବିଧାନ
ମଧ୍ୟାହ୍ନ ଧୂପ ପରେ,ସନ୍ଧ୍ୟା ଆଳତି
ପୂର୍ବରୁ ହିଁ ଆୟୋଜନ
ଶ୍ରୀବିଗ୍ରହଙ୍କ ଶ୍ରୀଅଧର ଉଚ୍ଚତା
ସମାନ ମାଟି ହାଣ୍ଡିରେ
ପ୍ରତି ରଥେ ତିନି ହାଣ୍ଡି ପଣା ଭୋଗ
ଅର୍ପଣ ପଞ୍ଚୋପଚାରେ
ଦୁଗ୍ଧ,ଜଳ, ସର,ଛେନା ଓ କର୍ପୂର
ନବାତ ଗୋଲ ମରିଚ
ପାଚିଲା କଦଳୀ ମିଶି ହୁଏ ପଣା
ତା'ସହିତ ଅଳେଇଚ ।
ରଥରେ ପାର୍ଶ୍ଵ-ଦେବ-ଦେବୀ ସହିତ
ଚଣ୍ଡୀ ଚାମୁଣ୍ଡା ଓ ପ୍ରେତ
ଶାନ୍ତି ତଥା ମୁକ୍ତି ଉଦ୍ଦେଶ୍ୟରେ ପଣା
ନିଦାନ ବିଧି ସଙ୍ଗତ
ଅଧର ମଧୁର,ବଚନ ମଧୁର
ମଧୁର ରୂପ ସମ୍ଭାର
ଶ୍ରୀଜଗନ୍ନାଥଙ୍କ ଦର୍ଶନ ମଧୁର
ମଧୁର ବି ଶ୍ରୀମନ୍ଦିର
ନେତ୍ରୋତ୍ସବ ବିଧି ହେଉଛି ପାଳନ
ଚକା ଚକା ନେତ୍ର ଧାରେ
କଳା ବଦନରେ ନାଲି ଓଠ ଧାର
ଅଧର ପଣା ଓଠରେ
ବଳଭଦ୍ର ଜୀଉ ତାରା ରୂପେ ପୂଜ୍ୟ
ତନ୍ତ୍ର ଧାରେ ସର୍ବୋପରି
ପ୍ରଭୁ ଜଗନ୍ନାଥ ସ୍ଵୟଂ ମହାକାଳୀ
ସୁଭଦ୍ରା ଭୁବନେଶ୍ଵରୀ
ନବଦିନାତ୍ମକ ରଥ ଯାତ୍ରା ବିଧି
ତାନ୍ତ୍ରିକ ମତରେ ତନ୍ତ୍ର
ଜଗନ୍ନାଥ ସଂସ୍କୃତିରେ ତନ୍ତ୍ର ପୂଜା
ପୁଣି ଯନ୍ତ୍ର ମନ୍ତ୍ର ତନ୍ତ୍ର ।
ପୌରାଣିକ ପୃଷ୍ଠଭୂମି ଆଧାରରେ
ଶ୍ରୀଗୁଣ୍ଡିଚା ସମୟରେ
ଦେବ ଦେବୀ ଚଣ୍ଡୀ ଚାମୁଣ୍ଡା ଓ ପ୍ରେତ
ରଥ ପଥ ଧାରେ ଧାରେ
ନୀଳାଦ୍ରି ବିଜେ ପୂର୍ବରୁ ପଣା ଭୋଗ
ବିଧାନ ରଥ ଉପରେ
ଆତ୍ମା ଆଉ ଅତୃପ୍ତ ଆତ୍ମାର ମୁକ୍ତି
ଅଧର ଅମୃତ ଧାରେ
ପଣା ଭର୍ତ୍ତି ହାଣ୍ଡି ଅର୍ପଣ ଶେଷରେ
ହାଣ୍ଡି ଭଙ୍ଗା ବିଧି ସହ
ସେ' ଅଧର ପଣା ଭୋଗ ପରମ୍ପରା
ପ୍ରେତ ମୁକ୍ତି ଅର୍ଥେ ଥୟ ।
