ଅଚିହ୍ନା ମଣିଷ
ଅଚିହ୍ନା ମଣିଷ




ଅଚିହ୍ନା ମଣିଷ ପାଖକୁ ଆସିଛି
ଚିହ୍ନା ବି ଅଚିହ୍ନା ଲାଗେ,
ଅଚିହ୍ନା ମଣିଷ ଆପଣା ଲାଗଇ
ମନରେ ଚେତନା ଜାଗେ |୧|
ଦିନେ ଯିଏ ଥିଲା ଅଚିହ୍ନା ମଣିଷ
ଆଜି ହେଲା ସିଏ ଚିହ୍ନା,
ଜୀବନଠୁଁ ବଳି ସିଏ ତ ଆପଣା
ଚିହ୍ନାଠାରୁ ଆଉ ଚିହ୍ନା |୨|
ଶୂନ୍ୟରେ ରହିଛି ଅଚିହ୍ନା ପୁରୁଷ
ସର୍ବ ବିଶ୍ବ ଚରାଚର,
ସେ ପରା ଅଟନ୍ତି ମୋ ପ୍ରାଣ ପୁରୁଷ
ପରାଣର ସହଚର |୩|
କେହି ଚିହ୍ନନ୍ତିନି ସେହି ପୁରୁଷରେ
ନାହିଁ ରୂପ ନାହିଁ ରଙ୍ଗ,
ନିଜର ଭିତରେ ଗୁପ୍ତରେ ଥାଆନ୍ତି
ସବୁଠାରୁ ପ୍ରିୟ ସାଙ୍ଗ |୪|
ସବୁଠାରେ ଥାଏ କେଉଁଠି ନ ଥାଏ
ନାହିଁ ଅନ୍ତ ସେ ଅନନ୍ତ,
ଅଚିହ୍ନା ପୁରୁଷ ଗୁଣଗ୍ରାହୀ ରସ
ପୁଣି ସିଏ ପ୍ରାଣବନ୍ତ |୫|
ଜୀବନର ଲକ୍ଷ୍ୟ ମିଳନ ହେବାକୁ
ସେହି ଅଚିହ୍ନା ପୁରୁଷେ,
ମୋକ୍ଷ୍ୟ ପରମାତ୍ମା
ଦିବ୍ୟ ସେ ଦେବାତ୍ମା
ନେଇଯାଏ ପରା ଶେଷେ |୬|
ଚକ୍ଷୁର ମିଳନ ଅଚିହ୍ନା ପୁରୁଷେ
ଦିବ୍ୟ ଜ୍ୟୋତି ପରକାଶ,
ଦିବ୍ୟଜ୍ଞାନ ହସ ହୋଇ ସୁପ୍ରକାଶ
ଝର ବହେ ହୋଇ ରସ |୭|
ଆରେ ମୁଢ଼ ମନ ଲଗାଇଦେ ଧ୍ୟାନ
ଅଚିହ୍ନା ପୁରୁଷ ପଦେ,
କଢ଼ାଇ ସେ ନେବେ ଅଦେଖା ରାସ୍ତାରେ
ଯହିଁ ଥିବ ସୁଖ ପଦେ |୮|
ଅପେକ୍ଷା କରିଛି ଦିବ୍ୟ ଦର୍ଶନରେ
ଅଚିହ୍ନା ମଣିଷ ପାଇଁ,
ଅନ୍ତର ଆତ୍ମାରେ ପ୍ରତି କ୍ଷଣେ କ୍ଷଣେ
ଦିବ୍ୟ ଜ୍ଯୋତି ପ୍ରାପ୍ତି ପାଇଁ |୯|
ଲଗାଇଛି ହୃଦ ଅଚିହ୍ନା ମଣିଷେ
ପ୍ରାଣର ଭକତି ଦେଇ,
ସେହି ଏକା ମୋର ପୁଣ୍ୟ ହୃଦହାର
ପୂଜିବି ଭକତି ଦେଇ |୧୦|