ଅବୁଝା ମନ
ଅବୁଝା ମନ
ସାତତାଳ ପାଣି ପଦୁଅଁ ପୋଖରୀ
ସାତ ସିନ୍ଧୁକ ରେ ତାଲା
ଅବୁଝା ମନକୁ ସାଇତି ଥିଲି ମୁଁ
କିଏ ସେ ଚୋରାଇ ନେଲା ।
ସେ ମନ ଘୁରୁଛି ଜହ୍ନ ରାଇଜରେ
ରଚିବ ପ୍ରେମର ନୀଡ଼
ବହୁଥିବ ସେଠି ମଳୟ ପବନ
ନ ଥିବ ବତାଶ ଝଡ଼ ।
ନନ୍ଦନ ବନରୁ ପାରିଜାତ ଆଣି
ଗଭା ରେ ଖୋସିବ ମୋର
ଅବୁଝା ମନ ମୋ ଅଡି ବସୁଥିବ
ପାଇବାକୁ ପ୍ରୀତି ତୋର ।
ଭିଯୁଥିବା ଅମେ ଜୋଛନାରେ ନିତି
ନ ଥିବ ଅନ୍ଧାର ରାତି
ତାରା ମାନେ ହେବେ ଟୁପୁର୍ ଟାପର
ଦେଖି ଆମ ଚୋରା ପ୍ରୀତି ।
ପ୍ରୀତି ପୁଷ୍ପ ଫୁଟି ମନ ଉପବନେ
ବାସୁଥିବ ମହ ମହ
ବାଜିବନି କେବେ ବେଦନା ର ବୀଣା
ନ ଥିବ ଆଖିରେ ଲୁହ ।
ମନ ତ ପବନ ଅତି ବେଗବାନ
ମଣି ଠୁ ବି ମୂଲ୍ୟବାନ
ମନ ଚୋର ଯିଏ ଦୁନିଆଁ ରେ ସିଏ
ସବୁଠାରୁ ଭାଗ୍ୟବାନ ।
ମନ ଦରପନ କାଚ ର ନଅର
ଭାଙ୍ଗି ହୁଏ ଚୂର୍ ମାର
ଅବୁଝା ମନକୁ ବୁଝେଇ ବା ଅଟେ
ବଡ଼ ଦୁରୁହ ବ୍ୟାପାର ।
ମନ ପୋଡ଼ିଗଲେ ଜୀବନ ଅସାର
ମିଠା ଲାଗେ ପିତା ପିତା
ପୁନେଇଁ ଚାନ୍ଦ କୁ ରାହୁ ଗ୍ରାସେ ସତେ
ଜ୍ୟୋସ୍ନା ଲାଗେ ଫିକା ଫିକା ।
ଯେତେ ଅବାସ୍ତବ ବାସ୍ତବ କଳ୍ପନା
ଆଙ୍କୁଥାଏ ମନ ବସି
ଯଦି ନ ପୁରିଲା ଇପ୍ସିତ କାମନା
ଅବୁଝା ହୁଏ ସେ ବେଶି ।

