ଅବଶୋଷର ଧୂଆଁ
ଅବଶୋଷର ଧୂଆଁ
ମଣିଷ ମନରେ ଅସୁମାରୀ ଆଶା
ସମୟ ହିଁ ଭରିଥାଏ,
କିଛି ପୂର୍ଣ୍ଣ ହୁଏ କିଛି ସ୍ବପ୍ନ ପରି
ମନରୁ ତ ଲିଭିଯାଏ |
ଏମିତି ବି କିଛି ସଞ୍ଚିତ କାମନା
ଯାହା ଅlଙ୍କିଥାଏ ମନ,
ଜୀବନ ଯାତ୍ରାର ଗୁରୁତ୍ୱ ସେଥିରେ
ହୁଏନି କେବେ ଅମ୍ଲାନ |
ସେ କାମନା ଯାର ପୂର୍ଣ୍ଣ ହୋଇଯାଏ
ଯାତ୍ରା ହୁଏ ଖୁସି ଭରା,
ଅପୂର୍ଣ୍ଣ ରହିଲେ ଅବଶୋଷ ଧୂଆଁ
କୁହୁଳେ ଜୀବନ ସାରା |
ବିଫଳତା ପାଇଁ ଦୁଃଖ ଭରିଯାଏ
ମନ ହୁଏ ସନ୍ତାପିତ,
କହିବି ପାରେନା କାହାରି ଆଗରେ
କାହାଣୀ ଯା' ଅବଲୁପ୍ତ |
ଜୀବନର ବହୁ ଶ୍ରମ ଓ ସମୟ
ବିତିଗଲା ଅକାରଣେ,
କିଛି ମିଳିଲାନି ମୃଗତୃଷ୍ନା ଛଡା
ହତାଶ ଭରିଲା ପ୍ରାଣେ |
ଭୁଲି ହୁଏ ନାହିଁ ଅଭୁଲା ଅତୀତ
ଆଖିଆଗେ ଭାସେ ସ୍ମୃତି,
ଅବଶୋଷ ନିଆଁ ହୃଦୟରେ ଜଳେ
ପୋଡିଦିଏ ସବୁ ଶାନ୍ତି |
ବଞ୍ଚିବାକୁ ପଡେ ଭାଗ୍ୟକୁ ଆଦରି
ନୂଆ କଳପନା ନେଇ,
ଭୁଲିବାକୁ ଦୁଃଖ ଉଦ୍ୟମ କରେ ସେ
ଓଠେ ହସ ଭରି ଦେଇ |
କ୍ଲାନ୍ତ ଦିବସର ବିଶ୍ରାମ ବେଳାରେ
ଅତୀତକୁ ଝୁରି ହୁଏ,
ଅବଶୋଷ ଧୂଆଁ ଲିଭେନି ତ କେବେ
ଲୁଚି ଲୁଚି ଦୁଃଖ ଦିଏ |
ଅବଶୋଷ ଏକ ଏମିତି ଯନ୍ତ୍ରଣା
ଜୀବନ ତମାମ ରହେ,
ଯେତେ ସୁଖ ମିଳେ ସବୁ ତ ମଳିନ
ଅସାର ସଂସାର ମୋହେ |
ଆକାଶ କଇଁଆ ନଥିଲା ତ ଆଶା
ତଥାପି ହେଲାନି ପୂର୍ଣ୍ଣ,
ନିରାଶା ହୃଦୟ ଅବଶୋଷ ଭରେ
ଲାଗେ ବ୍ୟର୍ଥ ପରା ଜନ୍ମ |