ଅଭୂଲା ସେ ମୁହୂର୍ତ୍ତ କିଛି
ଅଭୂଲା ସେ ମୁହୂର୍ତ୍ତ କିଛି
ନିରୀହ ଗୋଲାପ ହାତ ଠାରି ଡାକେ ଏ ନିସ୍ତବ୍ଧ ସାୟଂକାଳେ,
ଅଲିଭା ସେ ସ୍ମୃତି ତିକ୍ତ ଅନୁଭୂତି ଧସେଇ ପଶୁଛି ମନର ଏ ନିବୃତ୍ତ କୋଣେ।।
ସଦ୍ୟ ଗୋଲାପ ଚାହିଁ ରହିଛି ଅପେକ୍ଷାରେ ଆକାଂକ୍ଷା ନେଇ
ସତେ କି ତା ନିରୀହ କୋମଳ ପାଖୁଡ଼ା ଗୁମୁରି କାନ୍ଦୁଛି ମୋତେ ଚାହିଁ!.......
ମନ ରାଇଜରେ ଦିବା ଚାନ୍ଦ ଆସି ଡାକିଥିଲା ହାତଠାରି,
ହୃଦୟକୁ ମୋର ଏକ ମୁହୂର୍ତ୍ତରେ ନେଲା ଚୋରି କରି।
ମୁଁ ଆନମନା ସେ ମଧ୍ୟ ଝୁମିଲା ନିଝୁମ ରହିଲୁ ଦୁହେଁ
ଯେମିତି ବନ୍ଦ କୋଠରୀର କଳା କାଳିମା,
ଦୁହିଁଙ୍କ ମନ ବିଭୋର
ଆନନ୍ଦର ଶେଷ ସମୀର
କେଉଁଠୁ ଆସିଲା ଅଦିନିଆ ଝଡ଼
ଭାଙ୍ଗି ଦେଇ ଗଲା ସମ୍ପର୍କର ନିଡ,
ରହିଗଲା ଏ ମନେ ଅନେକ ଶୂନ୍ୟସ୍ଥାନ
ପୂର୍ଣ୍ଣତା ପାଇବାକୁ ବ୍ୟାକୁଳ ଏ ମନ।।
ପ୍ରିୟା ସତେ ମୋର ଗୋଲାପ କଢ଼ି
ଅଳସୀ ଆଖି ତା ନଈ ବଢ଼ି।।।
ହୃଦୟର ନିବୃତ୍ତ ସ୍ରୋତସ୍ଵିନୀରୁ ଆଜି ବି ଝରିପଡେ
ଅଭୂଲା ସେ ମୁହୂର୍ତ୍ତ କିଛି।।।