ଅଭିଶପ୍ତା ଅହଲ୍ୟା
ଅଭିଶପ୍ତା ଅହଲ୍ୟା
ପାଷାଣ ଜଠରେ ପରା ଜୀବନ ବିତୁଛି ତାର
ସ୍ୱାମୀ ଅଭିଶପ୍ତା ସିଏ ସତୀ ଅହଲ୍ୟା
ଇନ୍ଦ୍ର କାମାତୁର ମନ କଲା ସଙ୍ଗେ ବିଚ଼ରଣ
ଗୌତମ ଋଷିଙ୍କ ରୂପ ଧରି ଆସିଲା
କରିଲା ସତୀତ୍ଵ ହରଣ
ସୁକୁମାରୀ ଅହଲ୍ୟାଙ୍କ ଦୁଃଖ କାରଣ |
ପାଷାଣ ତଳେ ଜୀବନ କରେ ଆତ୍ମ ବିଶ୍ଳେଷଣ
କେଉଁଠି ରହିଲା ତ୍ରୁଟି ଭାବଇ ମନେ
ଜୀବନ ଜିଜ୍ଞାସା ଯଜ୍ଞ ପ୍ରତୀକ୍ଷା ଦିକ୍ଷା ରେ ମଗ୍ନ
ଭଗ୍ନ ମନେ ମୁକ୍ତି ପଥ ଭାବଇ ମନେ
ଆତ୍ମାର ଜ୍ବଳନ ସହଇ
ଶ୍ରୀରାମ ପାଦ ସ୍ପର୍ଶି କୁ ଚାହିଁ ଯେ ଥାଇ ।
ଗୌତମଙ୍କ ସଙ୍ଗେ ବିଭା ଅଭୁଲା ସମୟ ଆଭା
ପତିବ୍ରତା ଧର୍ମ କିବା ଦୁର୍ବଳ ଥିଲା
ସ୍ବପ୍ନ ସବୁ ଶମଶାନେ ଜୀବନ ପଥ ର ଧାମେ
କେଉଁ ଅପରାଧେ ଭୋଗେ ଦୁଃଖ ଯାତନା
ନିଷ୍ଠା, କାଷ୍ଠା, ପୁଣ୍ୟ ବିଧାନ
କିବା ଉଣା ଥିଲା କୁହ ହେ ନାରାୟଣ ।
ଅଭିଶପ୍ତା ଋଷି କନ୍ୟା ଆଶ୍ରମେ ଜୀବନ ଧନ୍ୟା
ପବିତ୍ର ଭାବନା ନେଇ ଜୀବନ କାଟେ
ଛଳନା ବୁଝି ନପାରି ଲଳନା ହୋଇଲା ଦୋଷୀ
ଋଷି ଗୌତମଙ୍କ ଅଭିଶାପେ ବିଦୀର୍ଣ୍ଣା
ବୁଝି ନ ପାରିବାଟା ଦୋଷ
ଅନୁତାପ ଅଶ୍ରୁଜଳେ ଜଗତ ବିଷ ।
ଆତ୍ମା ହେଉଛି ବିଦୀର୍ଣ୍ଣ କୋହରେ ପାଷାଣ କ୍ଷୁର୍ଣ୍ଣ
ନୟନ ନୀରେ ଭିଜୁଛି ପାଷାଣ ଜଠ
ଅଭିଶପ୍ତ ଜୀବନଟା ପ୍ରତୀକ୍ଷାରେ ଧ୍ୟାନ ରତା
କେବେ ଆସିବେ ଶ୍ରୀରାମ ଭାଳଇ ମନେ
ପଦ ରେଣୁ ପ୍ରାପ୍ତ ହୋଇବ
ଅଭିଶପ୍ତ ଜୀବନରୁ ମୁକ୍ତି ମିଳିବ ।
ଅଭିଶପ୍ତା ଯେ ଅହଲ୍ୟା ଚରିତ୍ରେ କଳଙ୍କ ଟୀକା
ଶବ୍ଦହୀନ ବେଦନା ଯେ ପାଷାଣେ ରୁଦ୍ଧ
ଗୌତମଙ୍କ ପ୍ରେମେ ସିକ୍ତା ଅନୁପମ ପ୍ରୀତି ଗାଥା
ଅଘଟଣ ଆସି କଳଙ୍କିତ କରିଲା
ବେଦନା ରେ ରୁଦ୍ଧ ପାଷାଣ
କେବେ ଶ୍ରୀରାମ ଆସିବେ ଗଣନ୍ତି ଦିନ ।
ଧରା ଉଶ୍ୱାସ ଅର୍ଥରେ ରଘୁବର ଜନ୍ମି ଥିଲେ
ତାଙ୍କ ପାଇଁ ଅହଲ୍ୟାର ଯଜ୍ଞ ଜୀବନ
ବିଶ୍ୱାମିତ୍ରଙ୍କ ଆଗତ ସଙ୍ଗେ ଦଶରଥ ସୁତ
ଅସୁର ନିଧନ ପାଇଁ ସୁ ଆଗମନ
ଜୀର୍ଣ୍ଣ ଶୀର୍ଣ୍ଣ ପର୍ଣ୍ଣ କୁଟୀର
ପାଷାଣୀ ଅହଲ୍ୟା ଦୁଃଖ ହରିଲେ ବୀର ।
ଶ୍ରୀରାମଙ୍କ ପଦରେଣୁ ସ୍ପର୍ଶରେ ପାଷାଣ ମଧ୍ୟୁ
ଅପରୂପା ଅହଲ୍ୟାଙ୍କ ନାରୀର ରୂପ
ଅବ୍ୟକ୍ତ ଯନ୍ତ୍ରଣା ରାଜି ପ୍ରଭୁପାଦେ ଦେଲେ ସାଜି
ନିଶ୍ଚଳ ନିଃସ୍ଵ ପ୍ରାଣରୁ ଜୀବନ ପ୍ରାପ୍ତ
ଜନ୍ମ ଜନ୍ମ ପ୍ରତୀକ୍ଷା ଆଶା
ସତୀତ୍ଵ ଲାଞ୍ଚିତ ଦୁଃଖ ନୋହିଲା ଦୃଶ୍ୟା ।
ସତୀତ୍ବ ଲାଞ୍ଚନା ଦୁଃଖ ଭୁଲିଲେ ଅହଲ୍ୟା ମାତ
ପ୍ରଭୁ ପଦ ସ୍ପର୍ଶେ ପବିତ୍ରତା ଭରିଲା
ଜୀବନ ଧନ୍ୟ ହୋଇଲା ଆଶୀର୍ବାଦ ଯେ ମିଳିଲା
ଶ୍ରେଷ୍ଠ ସତୀ ଭାବେ ସେ ଯେ ହେଲେ ବିଦିତା
ପଞ୍ଚ କନ୍ୟା ମଧ୍ୟେ ଯେ ସ୍ଥିତ
ସତୀ ଶିରୋମଣି ଆଖ୍ୟା ପାଇଲେ ସେତ |
ପ୍ରଭୁଙ୍କ କୃପା ବରଷା ଅହଲ୍ୟାଙ୍କୁ ଦେଲା ଦିଶା
ଜୀବନ ରେ ପୁଣ୍ୟ ଧାରା ବହି ଯେ ଗଲା
ଜୀବନ ହୋଇଲା ଧନ୍ୟ ହୋଇଲେ ଭକ୍ତି ସମ୍ପର୍ଣ୍ଣ
ଜୀବନ ଜଗତ ହିତେ ଅର୍ପଣ କଲେ
ଅଭିଶାପ ହୋଇଲା କ୍ଷୁର୍ଣ୍ଣ
ଦିବ୍ୟ ମୟ ହୋଇଗଲା ତାଙ୍କ ଜୀବନ ।
