ଅଭିନନ୍ଦନ
ଅଭିନନ୍ଦନ
ଦିନ ପରେ ରାତି
ଯାଉ ଥାଏ ବିତି
ସମାଜର ଏ ତ ଅବନ୍ଦ ଗତି,
ଅସ୍ତ ପରେ ଉଦୟ
ଜୟ ଅନ୍ତେ ପରାଜୟ
ସ୍ବାଗତ ପଛେ ବିଦାୟ
ସବୁ ସେ ବିଧାତା ନୀତି ।
କାଲି ଆଜିର ନଥାଏ ଅନ୍ତର
ନୂଆ ପୁରୁଣା ସବୁ ଏକାକାର
ଋତୁ ବଦଳେ ଖାଲି ମନର,
ଫରକ ପଡେନି କିନ୍ତୁ ଖଟିଖିଆର,
ଆଜିବି ମାଟି ଚକଟୁଛି ସାହୁକାର ଘର,
ପେଟଚାଖଣ୍ଡେଲାଗି ଶୁଣ୍ଢିପିଣ୍ଡା ବାରଦୁଆର ।
ସମୟ ସରିଲା
ବୟସ ବଢିଲା
ଶରୀର ହେଲା ଦୁର୍ଵଳ,
ଯୌବନ ଲୁଚିଲା
ବାଳ ତ ପାଚିଲା
ସରି ଆସିଲା ସବୁ ବଳ।
ଜୀବନ ତ ଢଳ ଢଳ
ପଦ୍ମପତ୍ରେ ଯେହ୍ନେ ଜଳ
ଏ ଦୁନିଆ ତ ପାନ୍ଥଶାଳା
ଅଢେଇ ଦିନର ଖେଳ,
ଶ୍ମଶାନ ବୈରାଗ୍ୟ ଆସେ ମନେ
ପୁଣି ହଜେ ମାୟାର ଜୀବନେ
ଇନ୍ଦ୍ରିୟର ବଶ ଏଠି ସଂସାରେ ସକଳ,
ବୈଷୟିକ ସୁଖଲାଗି ମଣିଷ ବିକଳ।
ମାନବଠାରୁ ମାନବିକତା ନହେଉ ଅନ୍ତର
ଜାତିଠାରୁ ଜାତୀୟତା ନହେଉ ଦୂର
ଆପଣାଛାଏଁ ଅସହିଷ୍ଣୁତା ଦୂରେଇଯିବ
ବସୁଧା ଏକ କୁଟୁମ୍ବଭାବେ ସ୍ବର୍ଗସୁଖ ମିଳିବ ।
ଅଭିନନ୍ଦନ ଅଭିନନ୍ଦନ ଅଭିନନ୍ଦନ
ଢେରସାରା ସଦିଚ୍ଛା,ଶୁଭକାମନା
ଶୁଭଚିନ୍ତନ ସହ ଅଭିବନ୍ଦନ ।
ସୁବାସିତ ହେଉ ମନକଦମ୍ବବନ,
ବିଞ୍ଚିଯାଉ ଇନ୍ଦ୍ରଧନୁର ସାତରଙ୍ଗ
ନୂଆ ସକାଳର ନୂତନ ସୁରୁଜ
ବୁଣିଲାଣି କେତେ ସୁନେଲି ମୁରୁଜ
ମୁହଁରେ ଫୁଟିଉଠୁ ଶରତଜହ୍ନ,
ସ୍ନେହ ମମତାରେ ଭିଜିଯାଉ ମନଗହନ
ଈର୍ଷା ଦ୍ବେଷ ଦୂରେଇ
ଆଚାର ବ୍ଯବହାର ହେଉ ଶାଶ୍ବତ ମୋହନ।
ଧନ୍ଯ ହେବ ଆମ, ଏ ପବିତ୍ର ଜୀବନ।
2023 ଅନେକ ଅନେକ ଅଭିନନ୍ଦନ।

