ଅଭିମନ୍ୟୁ
ଅଭିମନ୍ୟୁ
ଜୀବନ ଯୁଦ୍ଧ ରେ ଆଜି
ମଣିଷ ଧାଉଁଛି ଏଠି
ଭେଦିବାକୁ ଚକ୍ରବ୍ୟୁହ
ଏକା ଏକା ଅଭିମନ୍ୟୁ ପରି।
ସମୟ ରାଜରାସ୍ତା ର
ପ୍ରତିଟି ମୋଡ ରେ,
ଘେରି ରହିଛନ୍ତି ଏଠି
ଅନ୍ୟାୟ ର ସପ୍ତରଥୀ
ପରାହତ କରିବାକୁ
ବୀର ଅଭିମନ୍ୟୁ,
ଅଟକାଇ ରଖିବାକୁ
ସଭ୍ୟତା ଓ ପ୍ରଗତି ର ରଥ।
ଡରନାହିଁ ଡରନାହିଁ ଅଭିମନ୍ୟୁ!
ଏକା ବୋଲି କର ନାହିଁ ଭୟ।
କରି ଚାଲ ଧର୍ମ ଯୁଦ୍ଧ
ଥିବା ଯାଏ ଶରୀରର
ଶେଷ ରକ୍ତ ବିନ୍ଦୁ।
ଅନ୍ୟାୟ ଓ ଅନୀତି ର
ସପ୍ତରଥୀ ଆଗେ
କରନାହିଁ ଆତ୍ମସମର୍ପଣ।
ତାହାକଲେ ବୋଲାଇବ
ତୁମେ ପଳାତକ
ଅଭିମନ୍ୟୁ ନାମେ ନିଶ୍ଚେ
ଲାଗିବ କଳଙ୍କ।
ଅନ୍ୟାୟ ର ପ୍ରତିବାଦ କରି
କେତେ ଅଭିମନ୍ୟୁ ଏଠି
ହୋଇଛନ୍ତି କ୍ରୁଶବିଦ୍ଧ,
କେତେ ଅଭିମନ୍ୟୁ ଏଠି
ପିଇଛନ୍ତି ବିଷ,
କେତେ ଅଭିମନ୍ୟୁ ଏଠି
ଝୁଲିଛନ୍ତି ଫାଶୀ ର ଖୁଣ୍ଟରେ।
ଜୀବନ ଭୟରେ କେବେ
କରି ନାହାନ୍ତି ସେମାନେ
ଆତ୍ମସମର୍ପଣ।
ମରଣ ଯାଇଛି ହାରି
ସେମାନଙ୍କ ଆଗେ।
ବଞ୍ଚିଛନ୍ତି ସେହିମାନେ ଯୁଗେ ଯୁଗେ
ସମସ୍ତଙ୍କ ହୃଦୟରେ ଦେବାକୁ ପ୍ରେରଣା
କରିବାକୁ ଧର୍ମ ଯୁଦ୍ଧ
ଅନ୍ୟାୟ ଓ ଅନୀତି ସହିତ।
ଜୀବନ ର ନାମ ଯୁଦ୍ଧ
ଜୀବନର ନାମ ମୁକାବିଲା।
ଯିଏ କରେ ଅନ୍ୟାୟ ର ମୁକାବିଲା
ଥିବାଯାଏ ଦେହରେ ନିଶ୍ଵାସ।
ସେ ଅଟେ ଅଭିମନ୍ୟୁ
ସେ ସତ୍ୟ, ସେ କାଳଜୟୀ।
ମରି ସେ ପାରେନା କେବେ
ହୋଇ କୃଶବିଦ୍ଧ,
ଝୁଲିଲେବି ଫାଶୀଖୁଣ୍ଟେ,
ପିଇଲେ ବି ହଳାହଳ ବିଷ।