ଅଭିମାନୀ
ଅଭିମାନୀ
ଭାରି ଅଭିମାନୀ ପ୍ରିୟାଟି ମୋହର
ଟିକିଏ କଥାରେ ସେ ରୁଷି ଯାଏ
ଆଖି ଦୁଇ ତା'ର ବିନା ଶ୍ରାବଣରେ
ଲୋତକ ସାଗରେ ଭିଜି ତ ଯାଏ ।
ହୃଦୟ କୋହକୁ ଲୁଚାଇବା ପାଇଁ
ନୀରବରେ ବସି ଗୁମୁରି ହୁଏ
ଭାବନାରେ ହଜି ମୋ'ଠାରୁ ଟିକିଏ
କଥା ଶୁଣିବାକୁ ବ୍ୟାକୁଳ ହୁଏ ।
କହେନା ଫୁଲେଇ ମନଦୁଃଖ ବୋଲି
ଭୁଲେଇ ଅନେକ କଥା ସେ କହେ
ଭୁଲ ମାଗିଦେଲେ ପାଣି ପରି ସବୁ
ଅଭିମାନ ତା'ର ନରମି ଯାଏ ।
ଓଠେ ଖେଳିଯାଏ ଖୁସିର ମୁକୁତା
ହାତ ଯୋଡି ମୋତେ ସଜାଗ କରେ
ଏମିତି କରିଲେ କଥା ମୁଁ ହେବିନି
ଝୁରିବ ଦୁରେଇ ରହିବା ପରେ ।