ଅଭୀପ୍ସା
ଅଭୀପ୍ସା
ଏମିତି ଗୋଟେ ନାଆଁଟେ
କାହିଁକି ଯେ ଦିଅନ୍ତି
ଶୁଣିଲେ,
ଲୋମେ ଲୋମେ ଶିହରଣ ପୁଣି
ଅର୍ଦ୍ଧନମିତ ହୁଏ ଆଖିପତା।
ଭାବିବାକୁ କିଛି କ୍ଷଣ ମନ ଚାହେଁ,
ଭୁଲିବାକୁ ଭଲପାଏ ବର୍ତ୍ତମାନ।
ମନ ନଥଲା, କିନୁ ଥିଲା ବି
ଅସାମାନ୍ୟ ପ୍ରବୃତ୍ତି ପ୍ରେମିକର।
ଯାହା ଦବିଯାଇଥିଲା
ସମୟ ସ୍ରୋତରେ।
ଅନୁରାଗର ଚିରାଗ୍
କୁହୁଳୁଥିଲା ଏମିତିକି,
ଅଳ୍ପ କିଛି ଦିନ ବାକିଥିଲା
ପାଉଁଶ ହେବାକୁ।
ସେ.....
ସ୍ୱରର ପ୍ରତିଧ୍ଵନି,
ହେଲା ମୋ ସଙ୍ଗୀତର ଝଙ୍କାର
ଅଜାଣତରେ।
ତା ଶବ୍ଦର ଚାତୁରୀ,
କଣ୍ଠର କୋମଳତା,
ସ୍ଵଚ୍ଛତା ଉଚ୍ଚାରିତ ଭାବନାର,
କଥା କଥାକେ ଆତ୍ମୀୟତାର ସ୍ପର୍ଶ ।
ଯୁଗଳବନ୍ଦୀର ସାଥୀ ସେ
ଭିନ୍ନ ଭିନ୍ନ ମୁହୂର୍ତ୍ତର।
ଭଲକଲା,
ସର୍ତ୍ତ ବି ରଖିନେଲା
ଏ ପ୍ରତିଧ୍ଵନି ସମ୍ଭବ ଓ ସୀମିତ
କେବଳ ଥିବାଯାଏଁ
ତା ମନର ଶୟନକକ୍ଷରେ।