ଅଭିଧାନ
ଅଭିଧାନ
ଈଶ୍ୱରଙ୍କ ଦାନ ମନୁଷ୍ୟ ଜୀବନ
ଭାଗ୍ୟ ଥିଲେ ତାହା ମିଳେ
ବନ୍ଧୁତ୍ୱ ଟି ଅଟେ ଏମିତି ସମ୍ପତ୍ତି
ମିଳେନାହିଁ ସର୍ବସ୍ଥଳେ l 0 l
ବନ୍ଧୁତାର ପାଇଁ ଦରକାର ନାହିଁ
ଥାଉ ପାଖେ ଯେତେ ଧନ
ବନ୍ଧୁତାର ରଜ୍ଜୁ ହୋଇଥାଏ ଶକ୍ତ
ଯଦି ଥାଏ ସ୍ବଚ୍ଛ ମନ l 1 l
ଭେଦଭାବ ଶୂନ୍ୟ ଯେଉଁ ପରିବେଶ
ସେଠି ବନ୍ଧୁତ୍ୱ ଆବାସ
ପ୍ରକୃତ ବନ୍ଧୁକୁ ବନ୍ଧୁ ପରିଚିତ
କରନ୍ତି ସଦା ପ୍ରକାଶ l 2 l
ଅହମିକା ହିଂସା "ବନ୍ଧୁ" ଅଭିଧାନେ
ଖୋଲିଲେ ପାଇବ ନାହିଁ
ତ୍ୟାଗ ଓ ପ୍ରେରଣା ଏହି ଦୁଇ ପଦ
ସବୁ ପୃଷ୍ଠା ଶୋଭା ପାଇ l 3 l
ପ୍ରକୃତ ବନ୍ଧୁଟି ଆପଦେ ବିପଦେ
ହୋଇଥାଏ ସଦା ଠିଆ
ଦୁନିଆ ସଙ୍ଗତେ ଲଢ଼ିପାରେ ସିଏ
ଆସୁ ଝଡ଼ ଝଞ୍ଜା ବାଆ l 4 l
କପଟୀ ବନ୍ଧୁକୁ ଜୀବନେ ନ କର
ପେଟଚିରି ବୁଦ୍ଧିନେବ
ଖରାପ ପଥକୁ ଭଲ ପଥ କହି
ପଛପଟୁ ଠେଲିଦେବ l 5 l
ଉତ୍ତମ ବନ୍ଧୁ ଟି ବନ୍ଧୁ ଉନ୍ନତି ରେ
ହୁଏ ସଦା ଉଲ୍ଲସିତ
କପଟୀ ବନ୍ଧୁ ଟି ମିତ୍ର ଉନ୍ନତି ରେ
ମନେ ହୁଏ ଜର୍ଜରିତ l 6 l
ଇତିହାସ ସାକ୍ଷୀ କୃଷ୍ଣ ଓ ସୁଦାମା
ବନ୍ଧୁତ୍ୱର ନିଦର୍ଶନ
ସମ୍ପର୍କର ଭାବ କହିଦିଏ କଥା
ନ ହୁଏ ଶବ୍ଦ ଚୟନ l 7 l
ବନ୍ଧୁ ଦେଇଥାନ୍ତି ବନ୍ଧୁଙ୍କୁ ସାହାସ
ପରିସ୍ଥିତି ଯାହା ହେଉ
ଖୁସି ବାତାୟନ ମାଡ଼ି ଆସିଥାଏ
ଖେଳି ସମ୍ପର୍କର ଢ଼େଉ l 8 l
ନରକ ବି ପ୍ରାୟ ସରଗର ସମ
ଲାଗେ ପାଖେ ବନ୍ଧୁ ଥିଲେ
ଆଗକୁ ଯିବାକୁ ପ୍ରେରଣା ମିଳଇ
ବନ୍ଧୁତାଟି ଦୃଢ଼ ଥିଲେ l 9 l
ଜୀବନରେ କର ବରଜ ଶପଥ
ନିଜେ ଭଲ ବନ୍ଧୁ ହେବ
ଭାଙ୍ଗିବନି କେବେ ବିଶ୍ୱାସର ବାଡ
ବନ୍ଧୁତା ସଦା ରଖିବ l 10 l
