ଅବଧି ସମୟ
ଅବଧି ସମୟ
ଏଇତ ଜୀବନ କ୍ଷଣ ଓ ଭଙ୍ଗୁର
ଭାଙ୍ଗିଯିବ ଦିନେ ତିଆରି ନୀଡ
ଲୋଡା ହେବ ଖାଲି ଛଖଣ୍ତ ବାଉଁଶ
ଅଣଚାଷ ବେଗେ ବହିବ ଝଡ।।
ଉଡି ଯିବ କାହିଁ ପ୍ରାଣପକ୍ଷୀ ତାର
ଶୂନ୍ୟ ଇଲାକାକୁ ପିଞ୍ଜରା ଛାଡି
କ୍ଷଣ ସମୟର ଅବଧି ଭିତରେ
ଦୂରେଚାଲିଯିବ ଡେଣାକୁ ଝାଡି।।
ଛଳ କପଟକୁ ନରଖି ଅନ୍ତରେ
ଅଳପ ଦିନକୁ ମନକୁ ଆଣ୍ଟି
ମହତ ସାଧନ କରିଯାଅ ବନ୍ଧୁ
ମଧୁର ସୁନ୍ଦର ହସକୁ ବାଣ୍ଟି।।
ଅଳ୍ପରେ ସନ୍ତୁଷ୍ଟ ସନ୍ତୋଷ ଜୀବନ
ହରି ନାମରସ କରିଲେ ପାନ
ଭକ୍ରି ଭାବନାର ଶ୍ରଦ୍ଧା ସମର୍ପଣେ
ପରଶମଣି ସେ ପ୍ରୀତି ସୁମନ।।
ଅନ୍ତରର ସବୁ ଅବଶୋଷ ଯେତେ
ଜଞ୍ଜାଳ ଯାତନା ଜୁଇରେ ଜାଳି
ଶୂନ୍ୟ ହୃଦୟର ଉଦାସ ମନରେ
ପ୍ରଣିପାତ କର ଲୁହକୁ ଢାଳି।।
ମାନବ ଜନମ ସାର୍ଥକ ହୋଇବ
ପୂର୍ଣ୍ଣତା ଲଭିବ ଏମନ ପ୍ରାଣ
ଅଭେଦ୍ଯ ପ୍ରୀତିର ଅମୃତ ସଂଗୀତ
ମୋହନ ବଂଶୀରୁ ଛୁଟିବ ଜାଣ।।
ଅସୀମ ଆଶାର ମୁଗ୍ଧ ପ୍ରାଙ୍ଗଣରୁ
ଦିବ୍ୟ ଭାବନାର ତୁଳସୀ ବାସ
ବିଶ୍ବାସ ପୃଷ୍ଠାର ପ୍ରାପ୍ତି ଅପ୍ରାପ୍ତିରେ
ଆଲୋକିତ ହେବ ଦିନ ଓ ମାସ।।