ଅବଦାନ
ଅବଦାନ
ଜୀବନ ଯୁଦ୍ଧର ସୋପାନରେ ଏକା
ତୁମେ ନାହଁ ବୋଲି ପାଶେ
ଯାତନାର ଲୁହ ଝରିବା ପୂର୍ବରୁ
ଆଖିରେ ଗୋପନେ ମିଶେ ।
ଅମାନ୍ୟ କରି ମୁଁ ତୁମ ଉପଦେଶ
ପାଦ ଦେଲି ପଦ୍ମ ବଣେ
ରାଜିବ ମୃଣାଳ ଶିକୁଳି ପାଲଟେ
ନୟନ ଶ୍ରାବଣ ଯେହ୍ନେ ।
ଲୋକ ଆଢୁଆଳେ ଗୁମୁରି ଉଠେ ମୋ
କୋହ ଭରା ନିତି ରାତି
ବିନା ଅନଳରେ ଜଳୁଛି ଆଜି ମୁଁ
ତୁମେ ନାହଁ ବୋଲି ଭୀତି ।
ପାଶେ ଥିଲେ ମୋର ଶକ୍ତି ବଳ ଆସେ
ସାହାସ ମୋ ବଢ଼ି ଯାଏ
ସହସ୍ର ଯୋଜନ ଦୁଇ ପାଦ ଲାଗେ
ବାପା ବାହୁ ଯଦି ଥାଏ ।
ବୋଧ ସାନ୍ତ୍ଵନା ମୁଁ କେଉଁଠୁ ପାଇବି
କିଏ ସଜାଡିବ ଭାଗ୍ୟ
ତୁମରି ଜ୍ୟୋତିରେ ଆଲୋକିତ ହୋଇ
ଆଜି ମୁଁ ହୋଇଛି ଯୋଗ୍ୟ ।
ଜୀବ ଯିବା ଯାଏ ସଂଘର୍ଷର ଯାତ୍ରା
କରମେ ମୋହର ଯୋଚା
ଆଉ କି ପାଇବି ତୁମରି ପରିକା
ଜୀବନରେ ଏକ ସଚ୍ଚା ।
ଯେଉଁ ଦିଗେ ଦେଖେ ଛଳ ପ୍ରତାରଣା
କୁହୁକ ସହାନୁଭୂତି
ସେ ଚକ୍ରରେ ପଡ଼ି ମୋ ପ୍ରାଣ ଆତଙ୍କ
ଘୁରୁ ଥାଏ ମୋର ମତି ।
ସରଗ ପୁରରୁ ଆଶିଷ ବର୍ଷାଇ
ଦେଉ ଥିବ ଟିକେ ସୁଖ
ତୁମରି ସୁଖକୁ ଆଦରି ବାପା ହେ
ଲିଭୁ ଥିବ ମୋର ଦୁଃଖ ।
