ଆଉ ଏକ ସ୍ବପ୍ନ
ଆଉ ଏକ ସ୍ବପ୍ନ
ସେଦିନ ସ୍ବପ୍ନ ମୋର ଭାଙ୍ଗିଲା ପରେ
ଆଶା ସବୁ ଖିନ୍ ଭିନ୍ ହୋଇ,
ସୃଷ୍ଟି କଲା ଆବେଗର ଅପନ୍ତରା ଅଳିଆଗଦା
ମୋ ହୃଦୟର ନିର୍ଜନ କୋଠରୀରେ।
କିନ୍ତୁ,
ଜାଣତରେ ହଉ ଅବା ଅଜାଣତରେ
ମୋର ଅତିପ୍ରିୟ ନୀଳରଙ୍ଗର ଶାଢ଼ୀ ପିନ୍ଧି,
ତମେ ପୁନଶ୍ଚ ଆବିର୍ଭୁତ ହେଲ
ଆଉ ଏକ ସୁନ୍ଦର ଦିବାସ୍ଵପ୍ନରେ।
ସୂର୍ଯ୍ୟର ସୁନେଲି କିରଣରେ
ଝଟକୁ ଥିଲା ତୁମ ତନୁପାତେଳୀ ଶରୀର,
ଆହ୍ଲାଦିତ କରୁଥିଲା ମୋ ମନକୁ
ପ୍ରତି କ୍ଷଣ, ପ୍ରତି ମୁହୂର୍ତ୍ତରେ।
ବସିଥିଲ ତୁମେ ଛାତ ଉପରେ
ଆଖି ମୋର ଲାଖି ରହିଥିଲା ତୁମ ଚେହେରାରେ,
ଦୁଷ୍ଟାମି ମିଶା ଚେନାଏ ହସ
ଭାସି ଉଠୁଥିଲା ତୁମ ଓଠରେ।
ପ୍ରତି ଥର ତୁମ ଆଖିରେ ପଲକ ପଡ଼ିବା ପରେ
ହଲୁଥିଲା ପଛପଟେ ଥିବା ନଡ଼ିଆ ବାହୁଙ୍ଗା,
ଆଉ ପୁଣି ମହକି ଉଠୁଥିଲା ଚତୁଃପାର୍ଶ୍ଵ
ତୁମ ମୁକୁଳା କେଶର ମିଠା ମିଠା ବାସ୍ନାରେ।
ହୃଦୟ ମୋ ଭରି ଯାଇଥିଲା ତୃଷ୍ଣାରେ
ହ୍ରଦ ସମ ତୁମ ବେନି ନୟନ ଦର୍ଶନରେ,
ଇଚ୍ଛା ହେଉଥିଲା ତୁମ ପ୍ରୀତି ପିଆଲାରୁ
ପିଇବାକୁ ଢୋ଼କେ,
ବସି ଚନ୍ଦ୍ରର ଶୀତଳ ଜ୍ୟୋତ୍ସ୍ନାରେ।
ମୋ ପ୍ରେମର ପାରିଜାତ ପୁଷ୍ପରେ
ଭାବିଥିଲି ସଜେଇ ଦେବି ତୁମକୁ,
କିନ୍ତୁ ଏ ସ୍ବପ୍ନ ବି ଭାଙ୍ଗିଗଲା
ଆତତାୟୀ ବିଲେଇର 'ମ୍ୟାଉଁ' ଗର୍ଜନରେ!
ସ୍ବପ୍ନ ମୋର ଭାଙ୍ଗି ଗଲା ପରେ
ଗୋଟେଇବାକୁ ଲାଗିଲି ମୁଁ,
ସେଇ ଭଙ୍ଗା ସ୍ବପ୍ନର ଭଗ୍ନାଂଶ ସବୁ
ଆଉ ଏକ ସୁନ୍ଦର ସ୍ବପ୍ନର ପ୍ରତୀକ୍ଷାରେ।

