ଆଉ ଡ଼ାକିବିନି ତୁମକୁ
ଆଉ ଡ଼ାକିବିନି ତୁମକୁ
ଆଉ ଡ଼ାକିବିନି ତୁମକୁ ମୁଁ ପ୍ରଭୁ
କାହିଁକି ଡାକିବି କୁହ
ଏତେ ଡ଼ାକି ଯଦି ତୁମ ସେ ଆଖିକୁ
ଦିଶୁନି ମୋ ଆଖି ଲୁହ ।
ଜଳ ଜଳ ହୋଇ ଚାହିଁ ବସିଅଛ
ମେଲି ତୁମ ଚକାଆଖି
କହେ ଏ ଜଗତ ସବୁ ତୁମେ ଦେଖ
ମୋ ଦୁଃଖ ପାରୁନ ଦେଖି ।
ଜାଣେନା ତୁମକୁ କିମ୍ପାଇଁ କୁହନ୍ତି
ଦୀନବନ୍ଧୁ,କୃପାସିନ୍ଧୁ
ବାରେ ହେଲାନାହିଁ ମୋ ପାଇଁକି ଦୟା
ପାଇଲିନି କୃପା ବିନ୍ଦୁ ।
ପାଷାଣ ଠାକୁର ନିର୍ବାକ, ବଧିର
ହୋଇଲକି ମୋହ ପାଇଁ
କାହିଁକି ମିଛରେ ନାମ ବୋଲାଉଛ
ସାରା ଜଗତ ଗୋସାଇଁ ।
ଅରକ୍ଷ ରକ୍ଷକ ନାମ ତୁମ ମିଛ
ମିଛ ତୁମ ବଡ଼ ପଣ
ତୁମ ଶ୍ରୀଚରଣେ ଯେ ପଶେ ଶରଣ
ପାଏ ସେ ଖାଲି କଷଣ ।
ପତିତପାବନ ବାନା ଉଡାଉଛ
କାହିଁ ପାଇଁ ଜଗନ୍ନାଥ
ମିଛେ ବୋଲାଉଛ କାହିଁକି ହେ ନାଥ
ସାରା ଜଗତର ନାଥ ।
ବଡ଼ ଠାକୁରହେ ବଡ଼ ପଣ୍ଡା ମେଳେ
ବଡ଼ ଦେଉଳରେ ବସି
ବାଙ୍କ ଚାହାଣୀରେ ମନ ମୋହୁଅଛ
ମୁରୁକି ମୁରୁକି ହସି ।
ରତ୍ନ ସିଂହାସନେ ଆନନ୍ଦେ ବସିଛ
ଭାଇ ଭଉଣୀଙ୍କ ସାଥେ
ମୁଁ ଚିର ଦୁଃଖିନୀ କାନ୍ଦି କାନ୍ଦି ମରେ
କେଉଁ ଦୋଷେ ଜଗନ୍ନାଥେ ।
ଆଉ କେତେ ଦୁଃଖ ଦେଲେ ହେବ ଖୁସି
ସତ କୁହ ମହାବାହୁ
ମୋ ଜୀବନ ପଛେ ଦୁଃଖେ କଟିଯାଉ
ତୁମ ବଡ଼ ପଣ ରହୁ ।