ଆସିଲା ଶରତ
ଆସିଲା ଶରତ


ଆସିଲା ଶରତ ହସିଲା ମରତ
ହରିତ ଧରଣୀ ଦିଶିଲା
ସଲୀଳ ଆବିଳ ଧିରେ ଅନାବିଳ
ସରେ ସରସିଜ ହସିଲା ।
ସୁନୀଳ ଅମ୍ବରେ ବର୍ଣ୍ଣିଳ ବିଭାରେ
ଧଳା ମେଘଖଣ୍ଡ ଭାସିଲା
କେଦାରେ କେଦାରେ ସବୁଜ ଆଭାରେ
ଧାନ ଆଖୁ ଶସ୍ୟ ଲସିଲା ।
ଶୁଭ୍ର ଶରତର ଶୁଭ୍ର ସହଚର
ହଂସ ଆଗମନ ହୋଇଲା
ନୀଳମ୍ବୁ ଚିଲିକା ବିଶାଳ ଦୀର୍ଘ଼ୀକା
ବିହଗ ବିହାର ସାଜିଲା ।
ଶଇଳେ ଶଇଳେ ନିର୍ଝର ଝର୍ଝରେ
କୁଳୁ କୁଳୁ ତାନେ ବହିଲା
ସବୁଜ ବଳୟ ହେଲା ଅଭ୍ୟୁଦୟ
ଦର୍ଶକ ମାନସ ମୋହିଲା ।
କାଦମ୍ବିନୀ କୋଳେ ସୌଦାମିନୀ ଖେଳେ
ଶୁଖିଲା ଦମ୍ଭୋଳି ଗର୍ଜିଲା
ଚନ୍ଦ୍ରିକା ଚର୍ଚ୍ଚିତା ଯାମିନୀ ଭୂଷିତା
ରଜତେ ଧରାକୁ ମାଜିଲା ।
ଶରତ ସୁନ୍ଦରୀ ନଦୀ ପଠାଦରି
କାଶତଣ୍ଡୀ ଫୁଲେ ହସିଲା
କୋମଳ ବାଲୁକା ସ୍ୱର୍ଣ୍ଣିମ ଅଳକା
ସୁଷମାରେ ମନ ରସିଲା ।
<
br>
କାଳିକା ମାଳିକା ଆଳେ ବକାଳିକା
ଚିରାଳ ସୁନ୍ଦର ଦିଶିଲା
ନବୋଦିତ ରବି ସ୍ୱର୍ଣ୍ଣମୟ ଛବି
ବନସ୍ପତି ଶୀର୍ଷ ସ୍ପର୍ଶିଲା ।
ଦେବୀ ପରବରେ ପୁଣ୍ୟ ପାର୍ବଣରେ
ମୁଖେ ମୁଖେ ହସ ଫୁଟିଲା
ମହିଷ ମର୍ଦ୍ଦିନୀ କେଶରୀ ବାହିନୀ
ଆଗମନେ ଦୁଃଖ ହଟିଲା ।
ପଲ୍ଲୀଠାରୁ ଦିଲ୍ଲୀ ଉଠିଲା ଚହଲି
ଧରା ଫୁଲି ଫୁଲି ହସିଲା
ମେଢ଼ ମଣ୍ଡପରେ ଆତସବାଜିରେ
ଧୂପ ଝୁଣା ଗନ୍ଧ ବାସିଲା ।
କୁମାର ପୂର୍ଣ୍ଣିମା ପରବ ଚନ୍ଦ୍ରମା
ଚାନ୍ଦିନୀ ଜଗତ ମୋହିଲା
କୁଆଁରୀଏ ମେଳ ନାଚଗୀତ ଖେଳ
ଯୁବା ଦମ୍ଭ କଲା ଘାଇଲା ।
ନିଆଳି ସେବତୀ ଚମ୍ପକ ମାଳତୀ
ଅଗସ୍ତି କୁସୁମ ଫୁଟିଲା
ବନେ ଉପବନେ ବିକଚ ସୁମନେ
ଅଳି ଗୁଞ୍ଜରଣ ଛୁଟିଲା ।
ଆଶ୍ଵିନ ଭାଦ୍ରବେ ଶାରଦୀୟ ପର୍ବେ
ଗଣନାଥ ପୂଜା ପଡ଼ିଲା
ପୂଜା ଅବସରେ ପ୍ରତି ଘରେ ଘରେ
ଆନନ୍ଦ ଲହରୀ ଖେଳିଲା ।